ନବୀନଙ୍କ ଆଗରେ ‘ହର ହର ମୋଦି’ ! ସରକାରୀ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରି ନେତା ଦେଖାଇଲେ ଶକ୍ତି

69

କନକ ବ୍ୟୁରୋ : ସରକାରୀ କାର୍ଯ୍ୟକ୍ରମ ପାଲଟିଲା ରାଜନୈତିକ ପ୍ଲାଟଫର୍ମ । ମଂଚ ଉପରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଭାଷଣ, ଆଉ ମଂଚତଳେ ବିଜେପି ସମର୍ଥକ ଦେଉଥିଲେ ମୋଦି ନାରା । ଭୁବନେଶ୍ୱର ରେଳ ଷ୍ଟେସନରେ ଏଭଳି ଅଭାବନୀୟ ଚିତ୍ରକୁ ନେଇ ତୀବ୍ର ହୋଇଛି ରାଜ୍ୟ ରାଜନୀତି । ଶାସକ-ବିରୋଧୀ କେହି କାହାରିକୁ ସହିପାରୁ ନାହନ୍ତି । ଏଭଳି ଅଭିଯୋଗ ଭିତରେ ବି ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ପର୍ବ ।
ପ୍ରଶ୍ନ ଉଠୁଛି…

– ସରକାରୀ ସଭାକୁ ଦଳୀୟ ସଭାରେ ପରିଣତ କଲା କିଏ?
– କାହା ନିର୍ଦ୍ଦେଶରେ ମୋଦିଙ୍କ ନାରା ଲାଗିଥିଲା ସଭାସ୍ଥଳରେ?
– ନବୀନଙ୍କୁ ଅପମାନିତ କରିବାକୁ ଏହା ଧର୍ମେନ୍ଦ୍ରଙ୍କ ଥିଲା କି ଗୋଟିଚାଳନା?

ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର । ଯେଉଁଠି ଗୋଟିଏ ମଂଚରେ ଏକାଠି ହୋଇଥିଲେ ରେଳମନ୍ତ୍ରୀ ସୁରେଶ ପ୍ରଭୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ମନ୍ତ୍ରୀ ଓ ସାଂସଦ ।

ବିଶେଷ କରି ପଂଚାୟତ ନିର୍ବାଚନ ପରେ ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ହୋଇଛି ରାଜନୈତିକ ଅସହିଷ୍ଣୁତା । ଦଳର ନେତାଙ୍କ ଭିତରେ ଲାଗିରହିଥିବା ଛକାପଂଝାର ପ୍ରଭାବ ତୃଣମୂଳ ସ୍ତରର କର୍ମୀଙ୍କୁ ପ୍ରଭାବିତ କରିଛି । ଯାହା ପ୍ରତିଫଳିତ ହୋଇଛି ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ।

ସ୍ଥିତି ଆହୁରି ଅସ୍ୱାଭାବିକ ହୋଇଥିଲା ଯେତେବେଳେ ଅଭିଭାଷଣ ରଖିବାକୁ ଆସନରୁ ଉଠିଥିଲେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଅଭିଭାଷଣ ସମୟରେ ବି ମଂଚତଳୁ ଜାରି ରହିଥିଲା ମୋଦି ମୋଦି ନାରା । ପ୍ରବଳ ପାଟିତୁଣ୍ଡ କରି ମୁଖ୍ୟମନ୍ତ୍ରୀଙ୍କୁ କୁହାଇ ଦେଇନଥିଲେ ବିଜେପି ସମର୍ଥକ । ପ୍ରାୟ ଗୋଟିଏ ମିନିଟଧରି ମୁଖ୍ୟମନ୍ତ୍ରୀ ମାଇକ ସାମ୍ନାରେ ଛିଡାହୋଇ ରହିଲେ । ନବୀନଙ୍କୁ ଓଡିଆରେ କହିବା ପାଇଁ ବି ଟିପ୍ପଣୀ କରୁଥିଲେ ବିଜେପି କର୍ମୀ । ଏହି ହୋହଲ୍ଲା ଭିତରେ ହିଁ ଓଡିଆରେ ଭାଷଣ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ନେତାଙ୍କ ଭିତରେ ଅରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ପର୍ବ ।

ଦୁଇଦିନ ତଳେ ସମ୍ବଲପୁରରେ ପାସପୋର୍ଟ ଅଫିସ ଉଦଘାଟନ କାର୍ଯ୍ୟକ୍ରମକୁ ସଂକ୍ଷିପ୍ତ ରଖିଥିଲେ ନବୀନ । କୁହାଯାଉଛି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଅତିଥୀ ଥିବାରୁ ଗସ୍ତ କାର୍ଯ୍ୟକ୍ରମ ସାମିତ ରଖିଲେ । ତେଣୁ ଏଭଳି ରାଜନୈତିକ ଅସହିଷ୍ଣୁତାର ପ୍ରତିଶୋଧ ନେବାକୁ ବିଜେପି କର୍ମୀମାନେ ନବୀନଙ୍କ ଉପସ୍ଥିତିରେ ହୋହଲ୍ଲା କରିଥିବା ଚର୍ଚ୍ଚା ହେଉଛି ।