ପେଗାସସ ମାମଲା : ଭାରତରେ ଝଡ, ଇସ୍ରାଏଲରେ ତଦନ୍ତ ।

238

କନକ ବ୍ୟୁରୋ : ପେଗାସସ ଗୁଇନ୍ଦାଗିରିକୁ ନେଇ ଭାରତର ସଂସଦରେ ଅଚଳାବସ୍ଥା ଦେଖା ଦେଇଛି । ବିରୋଧୀ ଏହାର ତଦନ୍ତ ସଂସଦୀୟ କମିଟି ଦ୍ୱାରା କରିବାକୁ ଦାବିରେ ଅଡି ବସିଛନ୍ତି । ସରକାର ଓ ପେଗାସସର ସଂପର୍କକୁ ନେଇ ସ୍ପଷ୍ଟୀକରଣ ମାଗୁଛନ୍ତି ବିରୋଧୀ ଦଳ ନେତା । ସେପଟେ କିନ୍ତୁ ପେଗାସସକୁ ନେଇ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଇସ୍ରାଏଲ । ଗୁଇନ୍ଦାଗିରି ଅଭିଯୋଗରେ ଫସିଥିବା ଏନଏସଓ ଅଫିସ ଉପରେ ଚଢାଉ କରିଛି ଇସ୍ରାଏଲ ପ୍ରତିରକ୍ଷା ବିଭାଗ ।

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନରୁ, ଯେଉଁ ପ୍ରସଙ୍ଗକୁ ନେଇ ବିରୋଧୀ ହଟ୍ଟଗୋଳ କରିଆସୁଛନ୍ତି, ମୋଦୀ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରୁଛନ୍ତି ସେହି ପ୍ରସଙ୍ଗରେ ଇସ୍ରାଏଲରେ ବଡଧରଣ କାର୍ଯ୍ୟାନୁଷ୍ଠାନ ହୋଇଛି । ଭାରତ ସମେତ ଏକାଧିକ ଦେଶରେ ପେଗାସସ ସ୍ପାଏ ୱେୟାର ଜରିଆରେ ମୋବାଇଲ ଫୋନ ଗୁଇନ୍ଦାଗିରି ଅଭିଯୋଗରେ ଫସିଥିବା ଏନଏସଓ ଅଫିସ ଉପରେ ଚଢାଉ କରିଛି ଇସ୍ରାଏଲ ପ୍ରତିରକ୍ଷା ବିଭାଗ । ପେଗାସସ ସ୍ପାଏ ୱେୟାର ପ୍ରସ୍ତୁତ କରିଥିବା ଇସ୍ରାଏଲ କମ୍ପାନି ଏନଏସଓ ସ୍ପଷ୍ଟ କରିଛି ଯେ, ସେଠାକାର ପ୍ରତିରକ୍ଷା ମନ୍ତ୍ରାଳୟର ଅଧିକାରୀନମାନେ ବୁଧବାର ଅଫିସକୁ ଆସି କାଗଜପତ୍ର ଯାଂଚ କରିଛନ୍ତି । ଆସିଥିବା ସମସ୍ତ ଅଭିଯୋଗକୁ କମ୍ପାନି ଗୁରୁତର ସହ ନେଇଛି ଏବଂ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛି ।

ଇସ୍ରାଏଲର ଏହି ଗୁଇନ୍ଦା ସଫ୍ଟୱେୟାର ଜରିଆରେ ଭାରତର ସାମ୍ବାଦିକ, ସ୍ୱେଚ୍ଛାସେବୀ, ବିରୋଧୀ ଦଳର ନେତା ଏବଂ ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କ ମୋବାଇଲ ଉପରେ ଗୁଇନ୍ଦା ନଜର ରଖାଯାଉଥିବା ଅଭିଯୋଗ ହୋଇଆସୁଛି । ଏପରିକି ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ପ୍ରହଲ୍ଲାଦ ସିଂ ପଟେଲ ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ମଧ୍ୟ ଏହି ୩୦୦ ଜଣିଆ ତାଲିକାରେ ରହିଥିଲା । ତେଣୁ ବିଦେଶୀ ଗୁଇନ୍ଦା ସଫ୍ଟୱେୟାରକୁ ବ୍ୟବହାର କରି ମୋଦୀ ସରକାର ଭିନ୍ନମତ ପୋଷଣ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଗୁଇନ୍ଦା ନଜର ରଖୁଥିବା ଅଭିଯୋଗ କରୁଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡିକ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ ଦାବି କରୁଛନ୍ତି ।

ମୋବାଇଲ ଫୋନ ଗୁଇନ୍ଦାଗିରି ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ବାରମ୍ବାର ମୁଲତବୀ ଆଲୋଚନା ପ୍ରସ୍ତାବ ଦେଇଛନ୍ତି ବିରୋଧୀ । ହେଲେ ମୋଦୀ ସରକାର ଏହାକୁ ଏଡାଇ ଆସୁଥିବା ଅଭିଯୋଗ କରି ସରକାରଙ୍କ ଭୂମିକା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି ବିରୋଧୀ ଦଳଗୁଡିକ । କାରଣ ପେଗାସସ ସ୍ପାଏ ୱେୟାର ପ୍ରସ୍ତୁତ କରିଥିବା ଏନଏସଓ ଗ୍ରୁପର ସର୍ତ ଅନୁସାରେ ଏହା କେବଳ ଗୋଟିଏ ଦେଶର ସରକାରଙ୍କୁ ତାର ସଫ୍ଟୱେୟାର ବିକ୍ରି କରିଥାଏ । ତେଣୁ ଅନ୍ୟ ଦେଶ ପରି ଭାରତରେ ମଧ୍ୟ କ୍ଷମତାରେ ଥିବା ବିଜେପି ସରକାର ଏହି ସଫ୍ଟୱେୟାର କିଣିଥାଇ ପାରନ୍ତି ବୋଲି ସନ୍ଦେହ ବଢିବାରେ ଲାଗିଛି ।