ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ : ନୂଆମନ୍ତ୍ରୀଙ୍କ ପରିଚୟ ଦେଲେ ପ୍ରଧାନମନ୍ତ୍ରୀ; କହିଲେ ମହିଳା, ଦଳିତ ଓ ଆଦିବାସୀ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ମିଳିଛି ସ୍ଥାନ

145

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ନିୟମ ଅନୁସାରେ ଲୋକସଭାରେ ନବନିର୍ବାଚିତ ସଦସ୍ୟମାନେ ଶପଥ ନେଇଛନ୍ତି । ଶପଥ ପାଠ କରାଇଛନ୍ତି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା । ଏହାପରେ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ ନୂଆ ମନ୍ତ୍ରୀମାନଙ୍କୁ ଗୃହର ସଦସ୍ୟଙ୍କ ସହ ପରିଚିତ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥର ମନ୍ତ୍ରିଣ୍ଡଳରେ ଅଧିକ ସଂଖ୍ୟାକୁ ମହିଳା, ଦଳିତ ଓ ଆଦିବାସୀଙ୍କୁ ସାମିଲ କରାଯାଇଥିବା ମୋଦୀ କହିଛନ୍ତି । ସେହିପରି କ୍ୟାବିନେଟରେ ଚାଷୀ, ପଛୁଆ ବର୍ଗ ଓ ଗ୍ରାମାଂଚଳ ପୃଷ୍ଟଭୂମି ଥିବା ନେତାଙ୍କୁ ସୁଯୋଗ ମିଳିଛି ।

ତେବେ ପ୍ରଧାନମନ୍ତ୍ରୀ ଗୃହରେ ନୂଆ ମନ୍ତ୍ରୀମାନଙ୍କ ପରିଚୟ ଦେଉଥିବା ବେଳେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏଥର ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ରହିଛି ଏକାଧିକ ପ୍ରସଙ୍ଗ । ପେଗାସସର ଗୁଇନ୍ଦାଗିରି ଠାରୁ ଆରମ୍ଭ କରି କରୋନା ପରିଚାଳନା, ଦରଦାମ୍ ବୃଦ୍ଧି ଓ ଚାଷୀ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ବନାଇଛନ୍ତି ବିରୋଧୀ । ତେବେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଙ୍ଗାମା ଫଳରେ ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।