ଆଜି କେମିତି ରହିବ ବିଧାନସଭାର ଚିତ୍ର : ସ୍ୱାଭାବିକ ଭାବେ ଚାଲିବ, ନା ପ୍ରଥମ ଦୁଇ ଦିନ ଭଳି ଦେଖିବାକୁ ମିଳିବ ହଟ୍ଟଗୋଳ ଓ ହଙ୍ଗାମା

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ପ୍ରତିବାଦ କରୁଛନ୍ତି ବିରୋଧୀ

85

କନକ ବ୍ୟୁରୋ : ଆଜି କେମିତି ଚାଲିବ ବିଧାନସଭା । ସ୍ୱାଭାବିକ ଭାବେ ଗୃହ କାର୍ଯ୍ୟ ଚାଲିବ, ନା ଗତ ଦୁଇ ଦିନ ଭଳି ହଟ୍ଟଗୋଳ, ହଙ୍ଗାମା ଯୋଗୁଁ ଚାଲିପାରିବନି ଗୃହ । ପ୍ରଥମ ଦିନ ଚାଲିପାରିନଥିବାବେଳେ ଦ୍ୱିତୀୟ ଦିନନରେ ମଧ୍ୟ ଗୃହ ଚାଲିପାରିନଥିଲା । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିରୋଧୀ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଦ୍ୱିତୀୟ ଦିନରେ ମାତ୍ର ୧୩ ମିନିଟ୍ ଚାଲିଥିଲା ଗୃହ କାର୍ଯ୍ୟ ।

ଗୁରୁବାର ଦିନ ଗୃହରେ ବିରୋଧୀମାନେ ଏମିତି ହଙ୍ଗାମା କରିଥିଲେ ଯେ ଆଦୌ ଗୃହ କାର୍ଯ୍ୟ ସମ୍ଭବ ହୋଇ ନ ଥିଲା । ପ୍ରଥମାର୍ଦ୍ଧରେ ଗୋଟିଏ ମିନିଟ୍ ଗୃହ ଚାଲିଥିଲା ବେଳେ ଦ୍ବିତୀୟାର୍ଦ୍ଧରେ ୧୩ ମିନିଟ୍‌ ଭିତରେ ଗୃହ କାର୍ଯ୍ୟ ସୀମିତ ରହିଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଏପରି ଅଟଳ ଅଛନ୍ତି ଯେ ଦିନେ ଦୁଇ ଦିନ ଭିତରେ ଗୃହରେ ଅଚଳାବସ୍ଥା ହଟିବାର ସମ୍ଭାବନା କମ୍ । ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ବିଧାୟକମାନେ ବି ଗୁରୁବାର ଦିନ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ । ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ପ୍ଲାକାର୍ଡ ପ୍ରଦର୍ଶନ କଲେ। ବାଚସ୍ପତି ପ୍ଲାକାର୍ଡ ଗୃହରେ ଦେଖାଇବାକୁ ବାରଣ କରିବା ସତ୍ତ୍ବେ ସେମାନେ ଶୁଣି ନ ଥିଲେ । ସଙ୍ଗେ ସଙ୍ଗେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ପ୍ରଶ୍ନକାଳରେ ହୋହଲ୍ଲା ନ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକରେ କହିଥିଲେ। ନିକଟରେ ସିମ୍‌ଲାରେ ଅନୁଷ୍ଠିତ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀରେ ଏପରି ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ ମାନିବା ପାଇଁ ବିଧାୟକମାନଙ୍କୁ କହିଲେ । କିନ୍ତୁ ଆଜି ତାହାର କୌଣସି ପ୍ରଭାବ ପଡ଼ି ନ ଥିଲା । ଚିରାଚରିତ ଢଙ୍ଗରେ ପ୍ରଶ୍ନକାଳରେ ବିରୋଧୀ ସଭ୍ୟମାନେ ହୋହଲ୍ଲା କଲେ ଓ ଗୃହ ମୁଲତବୀ ରହିଲା ।