ପାର୍ବଣରେ କେତେ ରହିବ ମୂର୍ତ୍ତି ଉଚ୍ଚତା : ଆଜି ନୂଆ ନିଷ୍ପତ୍ତି ନେଇପାରନ୍ତି ସରକାର

Advertisment
ପାର୍ବଣରେ କେତେ ରହିବ ମୂର୍ତ୍ତି ଉଚ୍ଚତା : ଆଜି ନୂଆ ନିଷ୍ପତ୍ତି ନେଇପାରନ୍ତି ସରକାର

କନକ ବ୍ୟୁରୋ: ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ବୈଠକ ହେବ । କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟକୁ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ବୈଠକରେ ଶାନ୍ତି କମିଟି ଓ ପୂଜା କମିଟି ସହ ଆଲୋଚନା କରିବେ । ଗତକାଲି ପୂଜା ଗାଇଡଲାଇନକୁ ନେଇ ଗୃହରେ ହୋହାଲ୍ଲା ହଙ୍ଗାମା ହୋଇଥିଲା । କଂଗ୍ରେସ ସଭ୍ୟ ମହମ୍ମଦ ମୋକିମ୍ ଏହି ପ୍ରସଙ୍ଗ ଉଠାଇ କହିଥିଲେ, କଟକ ସହର ହଜାର ବର୍ଷର ସହର। ଏହାର ପରମ୍ପରା, ଭାଇଚାରା ନିଆରା । ଏଠାରେ ଲୋକଙ୍କ ଧାର୍ମିକ ଭାବନାକୁ ସରକାର ଆଘାତ ଦେଇଛନ୍ତି। କରୋନା ପାଇଁ ୪ ଫୁଟର ମୂର୍ତ୍ତି ଓ ପରଦା ଆଢ଼ୁଆଳରେ ପୂଜା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହାକୁ ଲୋକମାନେ ବିରୋଧ କରୁଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁସାରେ ପୂଜାର୍ଚ୍ଚନା ହେଉ। କିନ୍ତୁ ମୂର୍ତ୍ତି ଉଚ୍ଚତା ଓ ପରଦା ପକାଇବା ପାଇଁ ଥିବା କଟକଣାକୁ ହଟାଇ ଦିଆଯାଉ । ସାରା ଓଡ଼ିଶା ପାଇଁ ଏହି କଟକଣାକୁ ହଟାଇ ଦିଆଯାଉ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏଥିରେ ଏକମତ ହୋଇ କହିଥିଲେ, ସରକାର ‌କରୋନା ପାଇଁ କଟକଣା ଜାରି କରିଛନ୍ତି ସତ। କିନ୍ତୁ ଲୋକଙ୍କର ଭାବାବେଗକୁ ସରକାର ନିଶ୍ଚିତ ବିଚାରକୁ ନେବା ଉଚିତ । ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ମଧ୍ୟ ସମ ପରିମାଣରେ ଗୁରୁତ୍ବପୂର୍ଣ୍ଣ । ତେଣୁ ସରକାର ତୁରନ୍ତ ଏ ଦିଗରେ ବିଚାର କରି ପଦକ୍ଷେପ ନିଅନ୍ତୁ । କଂଗ୍ରେସର ବରିଷ୍ଠ ସଭ୍ୟ ସୁରେଶ ରାଉତରାୟ ମଧ୍ୟ ଏହାକୁ ସମର୍ଥନ କରିଥିଲେ । ସେପଟେ ବିଜେପି ମଧ୍ୟ ସମାନ ଦାବି କରିଛି । ପୂଜା କଟକଣା ହଟାଇବାକୁ ଦାବି କରିଛି ଦଳ । ଗୃହର ଉଦ୍‌ବେଗକୁ ଲକ୍ଷ୍ୟ କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, କରୋନା ପାଇଁ ସରକାର ପୂଜାରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଲୋକଙ୍କ ଦାବି ଓ ବିଧାୟକଙ୍କ ଉଦ୍‌ବେଗକୁ ନଜରରେ ରଖି ସରକାର ତାଙ୍କ ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe