କନକ ବ୍ୟୁରୋ : କଟକ ମହାନଗର ନିଗମ କାଉନସିଲ ବୈଠକରେ ହୋହଲ୍ଲା, ପାଟିତୁଣ୍ଡ । ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ ଆଣିଥିବା ବିରୋଧୀ ଦଳର କର୍ପୋରେଟର୍, ଦୁର୍ନୀତିର ତଦନ୍ତ ଦାବିରେ ଅଡ଼ି ବସିଥିଲେ । ନାରାବାଜି ଓ ପାଟିତୁଣ୍ଡ କରିବା ସହ ପ୍ଲା-କାର୍ଡ ଦେଇ ବିରୋଧ କରିଥିଲେ । ଫଳରେ ବୈଠକ ଚାଲି ପାରିନଥିଲା । କାଉନସିଲ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାକୁ ଥିଲେ ମଧ୍ୟ ବିରୋଧୀ କର୍ପୋରେଟରଙ୍କ ବିରୋଧ ଯୋଗୁଁ ବୈଠକ ଚାଲିପାରିନଥିଲା । ସ୍ଥିତି ଜଟିଳ ହେବାରୁ ଅଧାରୁ ବୈଠକ ବାତିଲ୍ କରି ଚାଲି ଯାଇଥିଲେ ମେୟର ଓ କମିଶନର ।

Advertisment

ନିକଟରେ ସରିଥିବା ବାଲିଯାତ୍ରା ସମୟରେ ସ୍ୱାଗତ ତୋରଣ, ଲେଜର ସୋ, ଏସି ହ୍ୟାଙ୍ଗର, ଆତଶବାଜି ଓ ପ୍ରଜ୍ଞାପନ ରଥ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ନିଆଯାଇଥିଲା । ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେପି ଦଳର କର୍ପୋରେଟର୍ । ଏଥିରେ ୮କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଛି । ଯାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛନ୍ତି ବିରୋଧୀ  ।

ପୂର୍ବରୁ ଏହି ଦୁନୀତି ପ୍ରସଙ୍ଗ ଉଠାଇ ଆସୁଛନ୍ତି କଟକ ବାରବାଟୀ ବିଧାୟକ । ଏମିତି କି ଦୁର୍ନୀତିର ତଦନ୍ତ ଦାବିରେ ସିଏମସି କାର୍ଯ୍ୟାଳୟରେ ଧାରଣା ଦେଇଥିଲେ ବିରୋଧୀ ଦଳର କର୍ପୋରେଟର୍ ।