କନକ ବ୍ୟୁରୋ : ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡିଶାର ଏକ ନଂ ମସଲା ଉଦ୍ୟୋଗ ରୁଚିର ନିର୍ଦ୍ଦେଶିକା ତଥା ଯୁବ ମହିଳା ଉଦ୍ୟୋଗୀ ରଶ୍ମି ସାହୁ ଚଳିତ ବର୍ଷ ଆୟୋଜିତ ସମ୍ମାନଜନକ ଟାଇମ୍ସ୍ ବିଜନେସ୍ ଆୱାର୍ଡ୍ସ ୨୦୨୨ରେ ସମ୍ମାନୀତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ହୋଇଥିବା ୩ୟ ଟାଇମ୍ସ୍ ବିଜନେସ୍ ଆୱାର୍ଡ୍ସ ୨୦୨୨ ର ସ୍ୱତନ୍ତ୍ର ସମ୍ମାନ ଉତ୍ସବରେ ରଶ୍ମୀଙ୍କୁ ବଲିଉଡର ପ୍ରଖ୍ୟାତ ଅଭିନେତା ତଥା ବିଶିଷ୍ଟ ସମାଜସେବୀ ସୋନୁ ସୁଦ୍ “ପୂର୍ବ ଭାରତର ଶ୍ରେଷ୍ଠ ଉଦୀୟମାନ ରେଡି ଟୁ ଇଟ୍ ବ୍ରାଣ୍ଡ” ସମ୍ମାନରେ ସମ୍ମାନୀତ କରିଛନ୍ତି ।

Advertisment

ରଶ୍ମୀ ସାହୁ ରୁଚି ମସଲାର ନିର୍ଦ୍ଦେଶିକା ଭାବେ କାର୍ଯ୍ୟରତ ଥିବା ବେଳେ ସେ ଓଡିଶାର ପ୍ରଥମ ଫ୍ରୋଜନ ଫୁଡ୍ସ୍ ଉଦ୍ୟୋଗ ଫ୍ରୋଜିଟର ମଧ୍ୟ ପ୍ରତିଷ୍ଠାତ୍ରୀ ଓ ନିର୍ଦ୍ଦେଶିକା । ଦୁଇ ଦଶନ୍ଧି ପୂର୍ବରୁ ରୁଚି ଫୁଡ୍ କ୍ରାଫ୍ଟ ମାଧ୍ୟମରେ ଓଡିଶାର ମହିଳାମାନଙ୍କୁ ନିଯୁକ୍ତି ଦେବା ସହ ଖାଦ୍ୟ ପ୍ରକ୍ର୍ରିୟାକରଣ କ୍ଷେତ୍ରରେ ରଶ୍ମି ସାହୁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ । ଓଡିଶାର ମସଲା ଜଗତର ମଉଡମଣି, ମସଲା ସମ୍ରାଟ ତଥା ବିଶିଷ୍ଟ ଉଦ୍ୟୋଗପତି ଡ. ଶରତ କୁମାର ସାହୁଙ୍କ ସୁକନ୍ୟା ରଶ୍କୀ ସାହୁ ବାପାଙ୍କ ମାର୍ଗଦର୍ଶନରେ ୧୨ ବର୍ଷ ତଳେ ଓଡିଶାରେ ପ୍ରଥମ ଫ୍ରୋଜନ ଫୁଡ୍ସ ଉଦ୍ୟୋଗ ‘ଫ୍ରୋଜିଟ୍’ ପ୍ରତିଷ୍ଠା କରି ବିଭିନ୍ନ ପ୍ରକାର ଖାଦ୍ୟ ଯଥା ରେଡି ଟୁ ଇଟ୍, ମୃଦୁପାନୀୟ, ବେକରୀ, ସ୍ୱାସ୍ଥ୍ୟପୋଯୋଗୀ ତଥା ପ୍ରିମିୟମ୍ ପ୍ରଡକ୍ସ ଆଦି ତିଆରି କରି ଏକ ନୂତନ ଉଦାହରଣ ତିଆରି କରିପାରିଛନ୍ତି ।

ଓଡିଶାର ବିଭିନ୍ନ ପାରମ୍ପରିକ ଖାଦ୍ୟକୁ ହାଇଜେନିକ୍ ଉପାୟରେ ପ୍ରସ୍ତୁତି କରି ଭାରତ ତଥା ଭାରତ ବାହାରେ ପହଁଞ୍ଚାଇବାରେ ରଶ୍ମୀ ସାହୁ ସଫଳ ହୋଇପାରିଛନ୍ତି । ତାଙ୍କ ଦ୍ୱାରା ପ୍ରଦତ୍ତ ଫ୍ରୋଜିଟ୍ ମାଧ୍ୟମରେ ରେଡି ଟୁ ଇଟ୍ ବିଭାଗରେ ବର୍ତ୍ତମାନ ବିରିୟାନୀ, ପାସ୍ତା, ଘିଅଭାତ, ମଟନକସା, ଲଚ୍ଛା ପରଟା, ମୁଗଲାଏ ଚିକେନ୍, ଭେଜ୍ ପଲାଉ, କଡାଇ ସୋୟାବିନ୍ , ଚଣା ମସଲା, ଫ୍ରାଏଡ୍ ରାଇସ୍, ତନ୍ଦୁରି ମସରୁମ୍, ଗାରଲିକ୍ ମସରୁମ୍, ଜିରା ରାଇସ୍, ମିକ୍ସ ଭେଜ୍, ସୁସ୍ୱାଦୁ ପୋଡପିଠା ଏବଂ କ୍ଷୀରି ବେସ୍ ଲୋକଦୃତ ହୋଇପାରିଛି ।

ରଶ୍ମୀ ସାହୁଙ୍କ ଏହି ଅନନ୍ୟ ପ୍ରୟାସ ପାଇଁ ଓଡିଶା ତଥା ଭାରତର ବହୁ ଅନୁଷ୍ଠାନ ତାଙ୍କୁ ପୁରସ୍କୃତ କରିସାରିଥିବା ବେଳେ ଚଳିତ ବର୍ଷ ସୋନୁ ସୁଦଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା “ପୂର୍ବଭାରତର ଶ୍ରେଷ୍ଠ ଉଦୀୟମାନ ବ୍ରାଣ୍ଡ ପୁରସ୍କାର ନିଶ୍ଚିନ୍ତ ଉତ୍ସାହ ଓ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି ରଶ୍ମି ସାହୁ । ଏହାଛଡା ଏହି ପୁରସ୍କାର ସେ ତାଙ୍କର ଅଗଣିତ ଖାଉଟି ମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।