କନକ ବ୍ୟୁରୋ : ସଙ୍ଗରୋଧର ଅବଧି ସରିଯାଉଛି ହେଲେ ନମୂନା ପଜିଟିଭ କି ନେଗେଟିଭ୍ ରୋଗୀ ଜାଣି ପାରୁନାହାନ୍ତି । କ୍ୟାପିଟାଲ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟ ପାଇଁ ଯାଉଥିବା ରୋଗୀ କିଛି ଏଭଳି ସମସ୍ୟାର ସାମ୍ନା କରୁଛନ୍ତି । ଏନେଇ ଯେତେବେଳେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ, ସେତେବେଳେ ଆରଏମଆରସିକୁ ଦୋଷ ଦେଇଥିଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ନମୂନା ସଂଗ୍ରହ କରି ସଠିକ୍ ସମୟରେ ପଠାଯାଉଥିଲେ ବି ୭ରୁ ୮ ଦିନ ବିଳମ୍ବରେ ଆରଏମଆରସି ରିପୋର୍ଟ ଦେଉଛି । ତେଣୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି ।

Advertisment

କରୋନା ଚିହ୍ନଟ ପରେ ୭ ଦିନିଆ ସଙ୍ଗରୋଧ ନିୟମ । ହେଲେ ଆରଟି-ପିସିଆର୍ ରିପୋର୍ଟ ଆସିବାକୁ ବିତିଯାଉଛି ସପ୍ତାହେ । ତୃତୀୟ ଲହରରେ ସଙ୍ଗରୋଧ ନେଇ ନୂଆ ମାର୍ଗଦର୍ଶିକା ଜାରି କରିଛି ଆଇସିଏମଆର୍ । ଯେଉଁମାନେ ଘରେ ଚିକିତ୍ସିତ ହେଉଛନ୍ତି, ନୂଆ ନିୟମ ଅନୁସାରେ ୭ ଦିନ ସଙ୍ଗରୋଧରେ ରହିବେ । କ୍ରମାଗତ ୩ ଦିନ ଧରି ଜ୍ୱର ହୋଇନଥିବା ଆବଶ୍ୟକ । ତେବେ ଏଥିରେ ସମସ୍ୟା ସୃଷ୍ଟି କରୁଛି ଆରଟି-ପିସିଆର୍ ରିପୋର୍ଟ । ଘରୋଇ ପରୀକ୍ଷା କେନ୍ଦ୍ରରେ ତ ଦିନକରେ ରିପୋର୍ଟ ଆସିଯାଉଛି, କିନ୍ତୁ ସରକାରୀ ଡାକ୍ତରଖାନାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୭-୮ ଦିନ ବିତିଯାଉଛି ରିପୋର୍ଟ ପାଇବା ପାଇଁ ।

କୌଣସି ଉପାନ୍ତ ଅଞ୍ଚଳ ନୁହେଁ ରାଜଧାନୀ ଭୁବନେଶ୍ୱରରୁ ମଧ୍ୟ ଏଭଳି ଅଭିଯୋଗ ଆସିବାରେ ଲାଗିଛି । ଯଦି ରିପୋର୍ଟ ଆସିବାରେ ବିଳମ୍ବ ହେବ, ଲୋକେ କଣ କରିବେ ଜାଣିପାରୁନାହାନ୍ତି । କ୍ୟାପିଟାଲ୍ ହସପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ଧନଞ୍ଜୟ ଦାସ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଠିକ୍ ଭାବେ ନମୂନା ସଂଗ୍ରହ ଚାଲିଛି, ହେଲେ ଆରଏମଆରସିରୁ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ସେପଟେ ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି, ହଠାତ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଚାପ ସୃଷ୍ଟି ହୋଇଛି । ଅନେକ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିବାରୁ ଟେଷ୍ଟ ରିପୋର୍ଟ ଡେରି ହୋଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି । କରୋନା ପରୀକ୍ଷା ରିପୋର୍ଟ ମିଳିବା ଡେରି ହେଉଥିବାରୁ କେତେ ଦିନ ସଙ୍ଗରୋଧରେ ରହିବେ, ଚିକିତ୍ସା କିପରି ହେବ, ଏହି ଚିନ୍ତାରେ ପଡିଛନ୍ତି ଲୋକେ ।