ଘରୋଇ ଲାବରେ ଆରଟି-ପିସିଆର ପରୀକ୍ଷା ଦର ୧୨ ଶହ ଟଙ୍କାକୁ କମାଇଲେ ରାଜ୍ୟ ସରକାର ।

785

କନକ ବ୍ୟୁରୋ : ଓଡ଼ିଶା ସରକାର ଘରୋଇ ପରୀକ୍ଷାଗାରରେ ହେଉଥିବହା ଆରଟି-ପିସିଆର ପରୀକ୍ଷାର ଦର ହ୍ରାସ କରିଛନ୍ତି । ପୂର୍ବରୁ ଏହି ଦର ୨୨ ଶହ ଟଙ୍କା ଥିବାବେଳେ ଏବେ ତାହାକୁ ୧୨ଶହ ଟଙ୍କାକୁ ହ୍ରାସ କରାଯାଇଛି । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ଏହି ସୁବିଧା କେବଳ ଭୁବନେଶ୍ୱରସ୍ଥିତ ୪ଟି ଘରୋଇ ପରୀକ୍ଷାଗାର ଆପୋଲୋ ହସପିଟାଲ, ସମ ହସପିଟାଲ, ଜେନେକ୍ସ, କିଟ ପରିସରରେ ଥିବା ଇନଡିଏନଏ ଲାଇଫ ସାଇନ୍ସେସରେ ଉପଲବ୍ଧ ହୋଇପାରିବ ।

ଘରୋଇ ପରୀକ୍ଷାଗାରରେ କରୋନା ପରୀକ୍ଷା ଆରଏମଆରସି (ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର) ତତ୍ତ୍ୱାବଧାନରେ କରାଯିବ । ପୁଣି ପରୀକ୍ଷା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ଦ୍ୱାରା ଧାର୍ଯ୍ୟ ଆରଟିପିସିଆର ଗାଇଡଲାଇନ ପାଳନ ପୂର୍ବକ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଚଳିତ ମାସ ପ୍ରାରମ୍ଭରେ ସ୍ୱୀକୃତିପ୍ରାପ୍ତ ଘରୋଇ ଲାବରେ ଆଣ୍ଟିଜେନ ଓ ଆରଟିପିସିଆର ପରୀକ୍ଷା କରିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ । ଆଣ୍ଟିଜେନ ପରୀକ୍ଷା ପାଇଁ ରାଜ୍ୟ ସରକାର ୪୫୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି ।