ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଛତିଶଗଡକୁ ଯାତାୟାତ ମନା ।

343

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ଏବେ ପୁଣି ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ଏଣିକି ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏସଆରସିଙ୍କ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଏଣିକି ଅନ୍ୟ ରାଜ୍ୟରୁ ଟ୍ରେନ୍, ବସ୍, ବିମାନରେ ଓଡିଶା ଆସିଲେ ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ଦେବାକୁ ପଡିବ । ଏହି ରିପୋର୍ଟ ୭୨ ଘଂଟା ଭିତରେ ହୋଇଥିବା ଆବଶ୍ୟକ, ନଚେତ୍ ଦୁଇଟି କୋଭିଡ୍ ଟିକା ନେଇଥିବା ରିପୋର୍ଟ ଦେଖାଇବାକୁ ପଡିବ ବୋଲି କୁହାଯାଇଛି । ନଚେତ୍ ସମସ୍ତ ପ୍ରବାସୀଙ୍କୁ ୭ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ଅସ୍ଥାୟୀ ମେଡିକାଲ ସେଂଟର ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଓଡିଶା ଏବଂ ଛତିଶଗଡ ମଧ୍ୟରେ ସମସ୍ତ ପ୍ରକାର ଯୋଗାଯୋଗକୁ ଏପ୍ରିଲ ୩୦ ତାରିଖ ଯାଏଁ ବନ୍ଦ କରାଯାଇଛି । ଏହି ନିୟମ ଆସନ୍ତା ୧୦ ତାରିଖରେ ଲାଗୁ ହେବ । ଅର୍ଥାତ ଏପ୍ରିଲ ୧୦ ତାରିଖରୁ ଏପ୍ରିଲ ୩୦ ତାରିଖ ପର୍ୟ୍ୟନ୍ତ ଓଡିଶା-ଛତିଶଗଡ ମଧ୍ୟରେ ଯାତାୟାତ ମନା ହେବ । ଏଥିସହ ବର୍ଡର ଚେକ ପଏଂଟ ଅଂଚଳରେ କଡାକଡି ଚେକିଂ କରିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  କେବଳ ସେତିକି ନୁହେଁ, ଅନ୍ୟ ରାଜ୍ୟରୁ ଓଡିଶା ଆସିବା ପରେ ଲୋକଙ୍କୁ ୭ ଦିନ ପାଇଁ କ୍ୱାରେଣ୍ଟାଇନରୁ ରହିବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଉଲ୍ଲେଖ କରାଯାଇଛି ।ଅନ୍ୟପଟେ ରାଜ୍ୟର ସମସ୍ତ ଶିଳ୍ପ, ଶିକ୍ଷାନୁଷ୍ଠାନରେ କୋଭିଡ୍ ନିୟମ କଡାକଡି ପାଳନ କରିବାକୁ କୁହାଯାଇଛି । ତା ସହ କୋଭିଡ୍ କେୟାର ସେଂଟର ଓ କୋଭିଡ୍ କେୟାର ହୋମ ପ୍ରସ୍ତୁତ କରିବାକୁ କୁହାଯାଇଛି ।