ଏଣିକି ନିୟମ ଖିଲାପ କଲେ ଆଉ ବର୍ତ୍ତି ପାରିବେନି ଗାଡ଼ି ଚାଳକ । ପ୍ରଥମ ଥର ନିୟମ ଭାଙ୍ଗିଲେ ବି ବାତିଲ ହୋଇଯିବ ଲାଇସେନ୍ସ, ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିସନର ।

419

କନକ ବ୍ୟୁରୋ : ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନିସ୍ତାର ନାହିଁ । ଏବେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କଲେ ବି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ ରାଜ୍ୟର ସବୁ ପରିବହନ ଅଧିକାରୀ, ଆରଟିଓ ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର । ୮ଟି ନିୟମ ଭାଙ୍ଗିଲେ ପ୍ରଥମ ଉଲ୍ଲଙ୍ଘନରେ ବି ଲାଇସେନ୍ସ ରଦ୍ଦ ହେବ । ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ ଏବଂ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ବି ଲାଇସେନ୍ସ ରଦ୍ଦ ହେବ ।

ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । ପ୍ରଥମ ଭୁଲରେ ବି ରଦ୍ଦ ହେବ ଲାଇସେନ୍ସ । ସାବଧାନ ନିୟମ ଉଲଂଘନକାରୀ । ନିୟମ ଭାଙ୍ଗିଲେ ଆଉ ମିଳିବନି ନିସ୍ତାର । ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଏପରିକି ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନରେ ବି ଡ୍ରାଇଭିଂ ଲାଇସେନ୍ସ ଅସ୍ଥାୟୀ ଭାବେ ରଦ୍ଦ ହେବ ।

ନୂଆ ନିୟମ ନେଇ ରାଜ୍ୟର ସବୁ ପରିବହନ ଅଧିକାରୀ, ଆରଟିଓ ମାନଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର । ଏଥିରେ ଟ୍ରାଫିକ ନିମୟ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଥିବା ବେଳେ ବିଶେଷ କରି ୮ଟି ଦିଗ ପ୍ରତି ଧ୍ୟାନ ଦେବାକୁ ଗୁରୁତ୍ୱ ଦିଆଯାଇଛି । ଏହି ଆଠଟି ନିୟମ ଭାଙ୍ଗିଲେ ପ୍ରଥମ ଉଲ୍ଲଙ୍ଘନରେ ବି ଆପଣଙ୍କ ଲାଇସେନ୍ସ ଅତିକମରେ ତିନି ମାସ ପାଇଁ ରଦ୍ଦ ହେବ ।
• ହେଲମେଟ୍ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ
• ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ
• ମଦ ପିଇ ଗାଡି ଚଳାଇଲେ
• ଅଧିକ ବେଗରେ ଗାଡି ଚଳାଇଲେ
• ମାଲବାହୀ ଗାଡିରେ ଯାତ୍ରୀ ପରିବହନ କଲେ
• କ୍ଷମତା ଠାରୁ ଅଧିକ ମାଲ୍ ପରିବହନ କଲେ
• ଟ୍ରାଫିକ ପଏଂଟରେ ରେଡ ସିଗନାଲ ଭାଙ୍ଗିଲେ
• ଭୁଲ୍ ଦିଗରୁ ଗାଡି ଚଳାଇଲେ

କାହିଁକି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର ? ଦୁର୍ଘଟଣା ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟକୁ ବାରମ୍ବାର ତାଗିଦ କରିଆସୁଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ କରୋନା ସମୟରେ ବି ଦୁର୍ଘଟଣା କମି ନଥିଲା । ଗତ କିଛି ମାସ ହେଲା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି । ସୁପ୍ରିମକୋର୍ଟ ୧୦ ପ୍ରତିଶତ ଦୁର୍ଘଟଣା କମାଇବା ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜାଗାରେ ଦୁର୍ଘଟଣା ପ୍ରବଣ ବ୍ଲାକସ୍ପଟ ରହିଛି । ଏହି ସବୁ ଜାଗାକୁ ଚିହ୍ନଟ କରି ସେଠାରେ ଦୁର୍ଘଟଣା କମାଇବାକୁ ପରିବହନ ବିଭାଗ ପ୍ରୟାସ କରୁଛି । ଦୃତ ଗତିରେ ଗାଡ଼ିଚାଳନା ଓ ମଦ ପିଇ ଗାଡ଼ି ଚଳାଇବା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଏକ ପରିସଂଖ୍ୟାନ କହୁଛି । ୨୦୨୦ରେ ରାଜ୍ୟରେ ଘଟିଥିବା ସଡ଼କ ଦୁର୍ଘଟଣା ମଧ୍ୟରେ ୭୨ ପ୍ରତିଶତ କେବଳ ଦୃତ ଗତି ଯୋଗୁଁ ହିଁ ଘଟିଥିଲା ।