ଲୋକଙ୍କୁ ସେବା ଯୋଗାଇଦେବାକୁ ସର୍ତ୍ତମୂଳକ ଭାବେ ଖୋଲିବ ଆରଟିଓ: ସବୁ ଆରଟିଓଙ୍କୁ ପରିବହନ କମିଶନରର ନିର୍ଦ୍ଦେଶ

ଆରସି, ଫିଟନେଓ ସାର୍ଟିଫିକେଟ ଓ ମାଲିକାନା ପରିବର୍ତନ ପାଇଁ ଅନୁମତି

401

କନକ ବ୍ୟୁରୋ: କରୋନା କଟକଣା ସମୟରେ ଲୋକଙ୍କୁ ସେବା ଯୋଗାଇବାକୁ ଖୋଲିବ ଆରଟିଓ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ କମିଶନର । ଲୋକଙ୍କୁ ମାନିବାକୁ ପଡିବ ସାମାଜିକ ଦୂରତା, ସାନିଟାଇଜ୍ କରିବା ସହ ପିନ୍ଧିବାକୁ ପଡିବ ମାସ୍କ । ରାଜ୍ୟର ସମସ୍ତ ଆରଟିଓ, ଅତିରିକ୍ତ ଆରଟିଓ ବରବିଲ୍ ଏବଂ ରାଇରଙ୍ଗପୁର , ଖୋର୍ଧା ଅତିରିକ୍ତ ଆରଟିଓଙ୍କୁ ଚିଠି ଜରିଆରେ ଆରଟିଓ ଖୋଲିବାକୁ ଦିଆଯାଇଛି ନିର୍ଦ୍ଦେଶ । ତେବେ କରୋନା ସମୟରେ କିଛି ସର୍ତମୂଳକ ଭାବେ ଏହାକୁ ଖୋଲିବାକୁ ଦିଆଯାଉଥିବା କୁହାଯାଇଛି । ତେବେ ଆରଟିଓ ଅଫିସ ଗୁଡିକରେ କେବଳ ଆରଟିଓ ଅଫିସ ସହିତ ସଂପୃକ୍ତ ସମସ୍ତ କର୍ମଚାରୀଙ୍କୁ ହିଁ ପ୍ରବେଶ ଅନୁମତି ରହିବ । ଡିଏଲ୍, ଲର୍ଣ୍ିଂ ଡିଏଲ ଏବଂ ବାହାନ ସେବା ପାଇଁ ସଂପୃକ୍ତ ଲୋକଙ୍କୁ ଅଫିସ ପ୍ରବେଶ କରିବାକୁ ଅନୁମତି ମିଳିବ ।

କେବଳ ଡିଏଲ ଆବେଦନ କରୁଥିବା ଲୋକଙ୍କୁ ଆରଟିଓ ଅଫିସ ପ୍ରବେଶ ପାଇଁ ଦିଆଯିବ ଅନୁମତି । ଏଥିରେ ସାମାଜିକ ଦୂରତା ଅବଲଂବନ କରିବାକୁ ପଡିବ ବୋଲି କୁହାଯାଇଛି । ଅଧିକ ଲୋକଙ୍କ ଗହଳି ଦୂର କରିବାକୁ ଡିଏଲ୍ ଟେଷ୍ଟ କରିବା ସମୟର ଅଧ ଘଂଟା ଆଗରୁ ସ୍ଲଟ୍ ସମୟ ଦେବାକୁ କୁହାଯାଇଛି । ପ୍ରତ୍ୟକ ଦିନ କେତେ ଲୋକଙ୍କୁ ଡିଏଲ୍ ଟେଷ୍ଟିଂ କରାଯିବ ଏବଂ କେତେ ବେଳେ ସମୟ ଦିଆଯିବ ତାହା ସଂପୃକ୍ତ ଆରଟିଓ ଅଫିସ କର୍ତୃପକ୍ଷଙ୍କ ଉପରେ ନିର୍ଭର କରିବ ବୋଲି କୁହାଯାଇଛି ।

ଆରସି, ଓନରସିପ୍ , ରିନୁଆଲ୍ ଏବଂ ଫିଟନେସ୍ ସାର୍ଟିଫିକେଟ୍ ପ୍ରଦାନ ପାଇଁ ଅନୁମତି ଦିଆଯାଇଛି । ଏହା ସଂପୃକ୍ତ ଆରଟିଓ ଉପରେ ନିର୍ଭର କରିବ । କରୋନା କଟକଣା କାରଣରୁ ଗତ ଜୁଲାଇ ୨୨ ତାରିଖରୁ ଆରଟିଓ ଅଫିସକୁ ଆସନ୍ତା ଅଗଷ୍ଟ ୩୧ ଯାଏଁ ପ୍ରବେଶ କଟକଣା ରହିଥିଲା । ଏବେ ଆରଟିଓ ଅଫିସ ଗୁଡିକୁ କରୋନା କଟକଣା ପାଳନ କରି ଖୋଲିବାକୁ ଅନୁମତି ଦିଆଯାଇଛି ।