ଆଜି ବି ଟ୍ରାଫିକ୍ ଚେକିଂ ଜୋରଦାର । ଭୁବନେଶ୍ୱରରେ ୨ଟି ବସକୁ ସିଜ୍ କଲା ପରିବହନ ବିଭାଗ । ଉଭୟ ଗାଡିକୁ ୨୫ ହଜାର ୫ଶହ ଲେଖାଏଁ ଲଗାଇଲା ଜରିମାନା

550

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ଟ୍ରାଫିକ ଚେକିଂ ଜୋରଦାର । ଆଜି ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍ ସିଜ୍ କଲା ପରିବହନ ବିଭାଗ । ଉଭୟ ଗାଡିକୁ ୨୫ ହଜାର ୫ଶହ ଲେଖାଏଁ ଜରିମାନା କରାଯାଇଛି । ବୈଧ ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ଗାଡିକୁ ଫାଇନ କରାଯାଇଛି । ଗାଡି ଦୁଇଟିର ରେଜିଷ୍ଟ୍ରେସନ ଓ ଫିଟିନେସ ସାର୍ଟିଫିକେଟ ନଥିବାରୁ ୫ହଜାର , ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ ନଥିବାରୁ ୧୦ ହଜାର ଚାଲାଣ କଟାଯାଇଛି ।

ଅନ୍ୟପଟେ, ଗତକାଲିଠୁ ଟ୍ରାଫିକ୍ ଆଇନକୁ କଡାକଡି କରାଯାଇଥିଲେ ମଧ୍ୟ ଆଜିଠୁ ଆରମ୍ଭ ହୋଇଛି ଅସଲ ଯାଂଚ । ଆଜି ସୋମବାର ଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ସଂସ୍ଥାର କାର୍ଯ୍ୟାଳୟ ଖୋଲା ରହିଛି । ଫଳରେ ରାସ୍ତାରେ ଗାଡି ଚଳାଚଳ ବଢ଼ିଛି । ତେଣୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱରର ସମେତ ରାଜ୍ୟର ଅନ୍ୟାନ୍ୟ ସହରରେ ଟ୍ରାଫିକ୍ ଚେକିଂକୁ କଡାକଡି କରାଯାଇଛି । ଜାତୀୟ ରାଜପଥ ଓ ଅନ୍ୟ ରାଜପଥ ସହ ସହରର ଗଳିକନ୍ଦିରେ ଆଜି ସକାଳୁ ସକାଳୁ ଆରମ୍ଭ ହୋଇ ଯାଇଛି ଚେକିଂ । ପ୍ରଥମ ଦିନରେ ରଙ୍ଗରୁଟରେ ଗାଡି ଚଳାଇବା ଓ ହେଲମେଟ ପିନ୍ଧିବା ଉପରେ ଫୋକସ କରିଥିବା ଟ୍ରାଫିକ ପୋଲିସ ଆଜି ଦ୍ୱିତୀୟ ଦିନରେ ଟ୍ରିପିଲ ରାଇଡିଂ ଓ ମୋବାଇଲରେ ଗପିବା ଉପରେ ଫୋକସ କରିପାରେ ବୋଲି ଜଣାପଡିଛି ।

ତେବେ ପ୍ରଥମ ଦିନରେ ରାଜ୍ୟ ବିଭିନ୍ନ ସ୍ଥାନରେ ରାତି ୯ଟା ସୁଦ୍ଧା ୧୬ଶହ ୫୦ ଜଣ ନିୟମ ଖିଲାପକାରୀଙ୍କ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ । କଟକରେ ସର୍ବାଧିକ ୨୩୫ ଜଣ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ । ସେହିପରି ବାଲେଶ୍ୱର ଜିଲ୍ଲାରେ ୧୫୫, ସମ୍ବଲପୁର ଜିଲ୍ଲାରେ ୧୧୯, ବରଗଡ଼ ଜିଲ୍ଲାରେ ୧୦୪, ଗଂଜାମ ଜିଲ୍ଲାରେ ୯୨ ଏବଂ କୋରାପୁଟ୍ ଜିଲ୍ଲାରେ ୮୪ ଜଣଙ୍କ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ ।