ବୃକ୍ଷ ରୋପଣ ନାଁ ବଡ଼ ଘୋଟାଲା । ଫଳକରେ ଥିବା ତଥ୍ୟର ଫିଟିଲା ଗୁମର । ବନୀକରଣ ଆଳରେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ।

691

କନକ ବ୍ୟୁରୋ: ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବା ସହ ବାୟୁ ମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ନା ସଠିକ ସମୟରେ ବର୍ଷା ହେଉଛି ନା ତାପମାତ୍ରାର ନିୟନ୍ତ୍ରଣ ରହୁଛି । କେବଳ ଗରମ ଓ ତାତି ଭିତରେ ଅସ୍ତବ୍ୟସ୍ତ ହେଉଛି ସମଗ୍ର ଜନ ଜୀବନ । ଏହାର ନିୟନ୍ତ୍ରଣ ପାଇଁ ବୃକ୍ଷରୋପଣ ଅତି ଆବଶ୍ୟକ । ଏଥିପାଇଁ ବୃକ୍ଷ ରୋପଣ ନାଁରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ କିଛି ଅସାଧୁ ବନ କର୍ମଚାରୀ ଏହି ଅର୍ଥକୁ ଚଳୁ କରିବାରେ ଲାଗିଥିବା ଅଭିଯୋଗ ହୋଇଛି ।

ବାଲେଶ୍ୱର ଭୋଗରାଇ ବ୍ଲକ ନାରାୟଣ ମହାନ୍ତି ପଡିଆରେ ୨୦୨୨-୨୩ ଆର୍ଥିକ ବର୍ଷରେ ବନ ବିଭାଗ ପକ୍ଷରୁ ୧୫ ହେକ୍ଟର ଜଗାରେ ଗଛ ଲଗାଇବା ପାଇଁ ଅର୍ଥ ମଂଜୁର ହୋଇଥିଲା । ହେଲେ ବାସ୍ତବରେ କେତେ ଗଛ ଲାଗିଛି, ତାହା ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଜଣାପଡୁଛି । ବାଡ଼ ନାହିଁ କି ଗଛ ନାହିଁ । ବନୀକରଣ ଆଳରେ ହୋଇଥିବା ଘୋଟାଲାର ଗୁମର ଖୋଲି ଦେଇଛି ଆରଟିଆଇ ତଥ୍ୟ । ଆରଟିଆଇ ତଥ୍ୟ କହୁଛି, ୨୦୨୨-୨୩ରେ ନାରାୟଣ ମହାନ୍ତି ପଡ଼ିଆର ୮ ହେକ୍ଟର ଜମିରେ ୨୦ ହଜାର ଗଛ ଲାଗିଛି, ଏବଂ ୯୨% ଗଛ ବଞ୍ଚିଛି । ହେଲେ ଫଳକ କହୁଛି ୧୫ ହେକ୍ଟର ଜାଗାରେ ଗଛ ଲଗାଯାଇଛି, ଗଛ ସଂଖ୍ୟା ନାହିଁ । ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । କିନ୍ତୁ ବାସ୍ତବ ସ୍ଥିତିର ଦୃଶ୍ୟ କହୁଛି, ମାତ୍ର ୩ରୁ ୪ ହଜାର ଗଛ ଲଗାଯାଇଛି।

ସେହିପରି ଉଦୟପୁରରେ ମଧ୍ୟ ସମାନ ଅବସ୍ଥା । ସୂଚନା ଫଳକ ଓ ଆରଟିଆଇ ରିପୋର୍ଟ କହୁଛି, ୨୦୨୩-୨୪ ଆର୍ଥିକ ବର୍ଷରେ ୪ ହେକ୍ଟର ଜମିରେ ୧୦ ହଜାର ଗଛ ଲଗାଇବା ପାଇଁ ଅର୍ଥ ମଂଜୁର ହୋଇଛି। ଶତପ୍ରତିଶତ ଗଛ ଅଛି । ମାତ୍ର ଗ୍ରାଉଣ୍ଡ ଜିରୋର ସ୍ଥିତି କହୁଛି, ଆନୁମାନିକ ୫ ହଜାର ଗଛ ଲଗା ଯାଇଛି।

କେବଳ କାଗଜ କଲମରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଗଛ ଠିକଠାକ ଅଛି ବୋଲି ରିପୋର୍ଟ ଦେଇ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।