କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କେଉଁଠି ଥିଲା ଓ ଏବେ କେଉଁଠି ଅଛି, ତାକୁ ନେଇ ବଡ ଧରଣର ସନ୍ଦେହ ରହିଛି । ଆଉ ଏବେ ଏହି ସନ୍ଦେହକୁ ବଢାଇ ଦେଇଛି ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ । ୨୦୧୮ ମସିହା ଏପ୍ରିଲ ମାସରେ ଟ୍ରେଜେରୀ ଅଫିସ କହିଥିଲା, ୧୯୭୦ ମସିହାରୁ ଚାବି ଦାଖଲ ହୋଇନାହିଁ । ଏନେଇ ଜିଲ୍ଲାପାଳଙ୍କୁ ଜଣାଇ ଥିଲେ ବି ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ ୧୭ ଜଣିଆ କମିଟି । ଯାହାକି ଏହି ଘଟଣାରେ ସନ୍ଦେହକୁ ଆହୁରି ବଢାଇ ଦେଇଛି ।

Advertisment

ସୂଚନା ଅଧିକାର ବଳରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ମିଳିଥିବା ତଥ୍ୟ ପୁଣିଥରେ ବିରାଟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କାହିଁକି ଏହି ଦ୍ୱନ୍ଦ୍ୱ, ଜାଣିବା ପାଇଁ ପ୍ରଥମେ ଜାଣିନିଅନ୍ତୁ ଆରଟିଆଇରେ ମିଳିଥିବା ତଥ୍ୟକୁ । ଦିଲ୍ଲୀପ କୁମାର ବରାଳ ସୂଚନା ଅଧିକାର ବଳରେ ଶ୍ରୀମନ୍ଦିର ଟ୍ରେଜେରୀ ଅଫିସରୁ ରତ୍ନଭଣ୍ଡାର ଚାବି ବାବଦରେ ତଥ୍ୟ ମାଗିଥିଲେ । ଜବାବରେ ଟ୍ରେଜେରୀ ଅଫିସରୁ ଯେଉଁ ତଥ୍ୟ ଦିଆଯାଇଛି, ସେଥିରୁ ଜଣାପଡିଛି ୨୦୧୮ ଏପ୍ରିଲ ୪ ତାରିଖରେ ଟ୍ରେଜେରୀ ଅଧିକାରୀ ୧୯୭୦ ମସିହାରୁ ଚାବି ଦାଖଲ ହୋଇନଥିବା ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଦେଇଥିଲେ । ଜିଲ୍ଲାପାଳ ମଧ୍ୟ ସେହି ଚିଠିକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅବଗତି ପାଇଁ ପଠାଇ ଦେଇଥିଲେ । ଏବେ ପ୍ରଶ୍ନ ଉଠୁଛି ଯଦି ଚାବି ନଥିଲା ତାହାହେଲେ କାହିଁକି ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ ୧୭ ଜଣିଆ କମିଟି?

ରତ୍ନଭଣ୍ଡାର ଚାବି ନଥିବାରୁ ଅନୁଧ୍ୟାନକାରୀ ଦଳ କେବଳ ବାହାରୁ ନିରୀକ୍ଷଣ କରି ଫେରିଆସିଲେ । ହେଲେ କୁଆଡେ ଗଲା ରତ୍ନଭଣ୍ଡାର ଚାବି, ତାକୁ ନେଇ ବିବାଦ ପରେ ଜଷ୍ଟିସ ରଘୁବୀର ଦାସଙ୍କ କମିଶନରେ ଶୁଣାଣି ହେଲା । ପୁରୀ ସର୍କିଟ ହାଉସରେ ଶୁଣାଣିବେଳେ ଦିଆଯାଇଥିବା ସତ୍ୟପାଠରେ ରତ୍ନଭଣ୍ଡାର ଚାବି ବାବଦରେ କିଛି ତଥ୍ୟ ନଥିବାରୁ କମିଶନ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ କୁହାଗଲା ଅଚାନକ ମିଳିଗଲା ଚାବି । ଜିଲ୍ଲା ରେକର୍ଡ ରୁମରେ ଜଉମୁଦ ଦିଆ ମାଟିଆ ଲଫାପାରେ ଥିଲା ରତ୍ନଭଣ୍ଡାର ଚାବି । ହେଲେ ଏହି ପୁରା ପ୍ରକରଣକୁ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ବରିଷ୍ଠ ସେବାୟତ ।

ଟ୍ରେଜେରୀ ଅଫିସରୁ ଆରଟିଆଇରେ ମିଳିଥିବା ଆଉ ଏକ ଚିଠିରେ କୁହାଯାଇଛି ଯେ, ପୁରୀ ଜିଲ୍ଲାପାଳଙ୍କ ଦ୍ୱାରା ରତ୍ନଭଣ୍ଡାର ଚାବି ଟ୍ରେଜେରୀ ଜିମା ଦିଆଯାଇଛି । ତେଣୁ ସ୍ୱାଭାବିକ ଭାବରେ ସନ୍ଦେହ ହେଉଛି ଯଦି ୧୯୭୦ରୁ ଟ୍ରେଜେରୀରେ ଚାବି ନଥିଲା ଏବଂ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯାଇଥିଲା, ତାହା ହେଲେ ଜିଲ୍ଲାପାଳଙ୍କ ପାଖରେ ପୁଣି ଚାବି ଆସିଲା କେଉଁଠୁ ।ଆରଟିଆଇ ବଳରେ ଶ୍ରୀମନ୍ଦିର ଟ୍ରେଜେରୀ ଅଫିସରୁ ମିଳିଥିବା ଦୁଇଟି ତଥ୍ୟ ରତ୍ନଭଣ୍ଡାର ଚାବିକୁ ନେଇ ବିରାଟ ଦ୍ୱନ୍ଦ୍ୱ ତିଆରି କରିଛି । ଆଉ ଭକ୍ତଙ୍କ ଭାବାବେଗକୁ ଆଖିରେ ରଖି ଚାବି ବାବଦରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବା ସହ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଶ୍ରୀଜୀଉଙ୍କ ରତ୍ନ ଆଭୂଷଣର ଆକଳନ କରି ସାର୍ବଜନୀନ କରିବାକୁ ଦାବି ହେଉଛି ।