ଲୋକସଭାରେ ମୁସଲିମ ମହିଳା ବିବାହ ସୁରକ୍ଷା ବିଲ୍ (ତିନି ତଲାକ୍) ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସୁଚନା ଅଧିକାର (ସଂଶୋଧନ) ବିଲ୍ -୨୦୧୯ ଗୃହୀତ ହୋଇଛି। ବିରୋଧୀ ଦଳମାନେ ରାଜ୍ୟସଭାରେ ସୂଚନା ଅଧିକାର ସଂଶୋଧନ ବିଲକୁ ବିରୋଧ କରି ପ୍ରବଳ ହଟ୍ଟଗୋଳ କରିଥିଲେ। ଆରଟିଆଇ ସଂଶୋଧନ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀ ଦଳମାନେ ଜୋରଦାର ଦାବି କରିଥିଲେ। ତେବେ ଏହି ପ୍ରସ୍ତାବ ଖାରଜ ହୋଇଯାଇଥିଲା। ବିଲ୍ ଉପରେ ଆଲୋଚନା ପରେ ବାଚନିକ ଭୋଟ୍ କରାଯାଇଥିଲା ଏବଂ ବିଲ୍ ସପକ୍ଷରେ ୧୧୭ ଭୋଟ୍ ମିଳିଥିବା ବେଳେ ବିଲ୍ ବିରୋଧରେ ୭୫ ଭୋଟ୍ ମିଳିଥିଲା। କଂଗ୍ରେସ ନେତା ଗୁଲାମନବୀ ଆଜାଦ ଏହି ବିଲକୁ ତୀବ୍ର ବିରୋଧ କରି କହିଥିଲେ ସରକାର ଗଣତନ୍ତ୍ରକୁ ସମ୍ମାନ ଦେଇ କାର୍ୟ୍ୟ କରୁନାହାନ୍ତି। ସଂଶୋଧିତ ବିଲରେ ସମସ୍ତ ସୂଚନା କମିସନରଙ୍କୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣରେ ରଖିବା ବ୍ୟବସ୍ଥା କରିଥିବାରୁ ଏହା ସଂଘୀୟ ବ୍ୟବସ୍ଥା ପ୍ରତି ବଡ଼ ଝଟକା ହେବ ବୋଲି ସେ କହିଥିଲେ। ସୂଚନା ଅଧିକାର ଆଇନର ପରିସମାପ୍ତି ଘଟାଇବା ପାଇଁ ଏହି ଆଇନକୁ ସରକାର ଲଗାତାର ଦୁର୍ବଳ କରି ଚାଲିଛନ୍ତି ବୋଲି ବୋଲି ବିରୋଧୀ ଦଳ ନେତାମାନେ କହିଥିଲେ। ତେବେ ବିଲକୁ ବିଜେଡି, ପିଡିପି, ଟିଆରଏସ୍ ଏବଂ ୱାଇଏସଆର୍ କଂଗ୍ରେସର ସମର୍ଥନ ମିଳିଥିଲା। ଅନ୍ୟପକ୍ଷରେ କଂଗ୍ରେସ, ଟିଏମସି, ଡିଏମକେ, ବିଏସପି ଏବଂ ଏସପି ବିଲକୁ ବିରୋଧ କରିଥିଲେ। ବିଲ୍ ପାଇଁ ବିରୋଧୀ ଦଳଙ୍କୁ ମନାଇବା ଦାୟିତ୍ବ ପିୟୂଷ ଗୋୟଲ ଏବଂ ପ୍ରହ୍ଲାଦ ଯୋଶୀ ନେଇଥିଲେ। ସଂଶୋଧିତ ବିଲରେ ରାଜ୍ୟ ସରକାରଙ୍କ ଅଧିକାର ଉପରେ କୌଣସି ହସ୍ତକ୍ଷେପ କରାଯାଇନାହିଁ ବୋଲି ସରକାର ଦଲିଲ୍ ରଖିଛନ୍ତି। ତେବେ ଦରମା ଓ କାର୍ୟ୍ୟକାଳରେ ସମାନତା ରକ୍ଷା କରିବା ପାଇଁ ହିଁ ଏଥିରେ ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଆରଟିଆଇ ଅଧିନିୟମର ଧାରା ୧୩ରେ ସରକାର ପରିବର୍ତ୍ତନ ଆଣିଛନ୍ତି। ମୁଖ୍ୟ ସୂଚନା କମିସନର ଏବଂ ସୂଚନା କମିସନରମାନଙ୍କ ବେତନ, ଭତ୍ତା, କାର୍ୟ୍ୟକାଳ ଏବଂ ଅନ୍ୟ ସୁବିଧା ସୁଯୋଗ କେନ୍ଦ୍ର ସରକାର ହିଁ ନିର୍ଦ୍ଧାରଣ କରିବେ। ସୂଚନା କମିସନରଙ୍କ ନିର୍ଦ୍ଧାରିତ କାର୍ୟ୍ୟକାଳରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି ଏବଂ ଏହା ସ୍ବତନ୍ତ୍ର ଭାବେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ। ଏବେ ମୁଖ୍ୟ ସୂଚନା କମିସନର ଏବଂ ସୂଚନା କମିସନରଙ୍କ କାର୍ୟ୍ୟକାଳ ୫ ବର୍ଷ ପାଇଁ ଧାର୍ୟ୍ୟ ହୋଇଛି। ସୂଚନା ଅଧିକାର ଆଇନର ଦୁରୁପଯୋଗ କରି ଅନେକ ବ୍ୟକ୍ତି ଛଦ୍ମ ରାଜନୀତି କରୁଥିବାରୁ ଏହାକୁ ନେଇ ଶାସକ ଦଳର କେତେକ ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ ଏବଂ ଏଥିରେ ନିୟନ୍ତ୍ରଣ ଆସିବା ଜରୁରୀ ବୋଲି କହିଥିଲେ।