ଆରଟିଆଇ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଆକ୍ରମଣ ଘଟଣାରେ ଲାଗିଲା ରାଜନୀତିର ରଙ୍ଗ । ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ ।

ସ୍ଥାନୀୟ ବିଧାୟକ ଓ ଖଣି ମାଫିଆଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ଥାନାରେ ଦେଲେ ଏତଲା

130

କନକ ବ୍ୟୁରୋ: ରକ୍ତ ଜୁଡୁବୁଡ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଆକ୍ରମଣ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ଯାଜପୁର ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରି ଆକ୍ରମଣ ପଛର କାରଣ ଓ କେଉଁମାନେ ସଂପୃକ୍ତ ତାହା ଦର୍ଶାଇଛନ୍ତି ରିଲୁ ବେହୁରା । ଏଥିରେ ସେ ଅଭିଯୋଗ କରିଛନ୍ତି –

ଧର୍ମଶାଳା ବ୍ଲକରେ ବିଭିନ୍ନ ସରକାରୀ ଯୋଜନାର ହୋଇଥିବା ଦୁର୍ନିତୀର ଖୁଲାସା ଏବଂ ପିଡିଏସ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ପାଇଁ ସର୍ବେଶ୍ୱର ଉଦ୍ୟମ କରିଥିଲେ । ଯାହାର ପରିଣାମ ସ୍ୱରୁପ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଲୋକାୟୁକ୍ତରେ ହୋଇଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ଖଣି ମାଫିଆ ଓ ଶାସକ ଦଳର ବିଧାୟକମାନେ ଗୁଣ୍ଡା ଲଗାଇ ଧମକ ଚମକ ଦେଇ ଆସୁଥିଲେ ।

ଏହି ପୁରା ଘଟଣା ପଛରେ ସ୍ଥାନୀୟ ବିଧାୟକ ଓ ଖଣି ମାଫିଆଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି, ସର୍ବେଶ୍ୱର ବେହୁରାଙ୍କ ପରିବାର । ସେପଟେ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସର୍ବେଶ୍ୱର । ଅନ୍ୟପଟେ ଆରଟିଆଇ ଆକ୍ଟିଭିଷ୍ଟ ସର୍ବେଶ୍ୱର ବେହୁରାଙ୍କ ଆକ୍ରମଣ ଘଟଣାରେ ରାଜନୈତିକ ରଙ୍ଗ ଦେଇଛି ବିଜେପି । ଘଟଣା ପଛରେ ସ୍ଥାନୀୟ ଅଂଚଳର କ୍ଷମତାଶାଳୀ ନେତା ଓ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଆଣିଛି ବିଜେପି । ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ପଛର ପ୍ରକୃତ କାରଣ ଖୋଜିବା ପାଇଁ ପୁଲିସ ଛାନଭିନ ଆରମ୍ଭ କରିଥିବା ବେଳେ ବର୍ତମାନ ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛିା