କନକ ବ୍ୟୁରୋ : ଗତ ୯ ତାରିଖରେ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ ବିବାହ ବେଶ ଧୂମଧାମରେ ହୋଇଥିଲା । ପରିବାର ଲୋକ ଓ ଖୁବ୍ କମ ଅତିଥିଙ୍କ ଗହଣରେ ପରସ୍ପରକୁ ଜୀବନସାଥୀ ବାଛିଥିଲେ କ୍ୟାଟ୍ରିନା-ଭିକି । ରାଜସ୍ଥାନର ସବାଇ ମାଧୋପୁର ଦୁର୍ଗରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା । ତେବେ ଉଭୟଙ୍କ ବିବାହ ପରେ ଏବେ ଗ୍ରାଣ୍ଡ ରିସେପସନ ବା ବିବାହ ଭୋଜି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୁମ୍ବାଇରେ ଏହି ବିବାହ ଭୋଜିର ଆୟୋଜନ ହେବାକୁ ଥିବା ବେଳେ ବଲିଉଡର ନାମୀଦାମୀ କଳାକାର ଏଥିରେ ସାମିଲ ହେବେ ।
ଚର୍ଚ୍ଚା ଅନୁଯାୟୀ, କ୍ୟାଟ୍ରିନା ଓ ଭିକିଙ୍କ ବିବାହ ଭୋଜି ଜେଡବ୍ଲୁ ମ୍ୟାରିଆଟ ହୋଟେଲରେ ହୋଇପାରେ । ଆସନ୍ତା ୨୦ ତାରିଖରେ ଏହି ବିବାହ ଭୋଜି ଆୟୋଜନ ହେବ । ଯେଉଁଥିପାଇଁ ଏବେଠୁ ପ୍ରସ୍ତ୍ୁତି ଆରମ୍ଭ ହୋଇଥିବା କୁହାଯାଉଛି । ତେବେ ବିବାହ ଭୋଜିରେ ବିଏସମିର ପ୍ରତିଟି ଗାଇଡଲାଇନକୁ ପାଳନ କରାଯିବ ।
କ୍ୟାଟ୍ରିନା-ଭିକିଙ୍କ ଏହି ବିବାହ ଭୋଜିରେ ସଲମାନ୍ ଖାନ୍, ଆମୀର ଖାନ୍, ଅମିତାଭ ବଚ୍ଚନ, ଶାହାରୁଖ ଖାନଙ୍କ ଭଳି ଅନ୍ୟ ବଲିଉଡ କଳାକାର ସାମିଲ ହେବେ । ଏଥିପାଇଁ ସେମାନଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଛି । ତେବେ ଭୋଜିରେ ସାମିଲ ହେବା ପୂର୍ବରୁ ସମସ୍ତ ଅତିଥିଙ୍କୁ ବିଏସମି ଗାଇଡଲାଇନ ଅନୁଯାୟୀ, ଆରଟି-ପିସିଆର ଟେଷ୍ଟ କରିବା ଆବଶ୍ୟକ । ଆରଟି-ପିସିଆର ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ଏହି ଭୋଜିରେ ସାମିଲ ହେବାକୁ ଅନୁମତି ମିଳିବ ।