କନକ ବ୍ୟୁରୋ : ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମହାରାଷ୍ଟ୍ରରେ ରାଜନୀତି ଉଷ୍ମ ହୋଇଛି । ପ୍ରତିଦିନ ମହାରାଷ୍ଟ୍ର ରାଜନୀତିରେ ନୂଆ ନୂଆ ସମୀକରଣ ସାମ୍ନାକୁ ଆସୁଛି । ଏସବୁ ଭିତରେ ଆରଏସଏସ ସହ ଜଡିତ ଏକ ସାପ୍ତାହିକ ପତ୍ରିକାରେ ବିଜେପି ସହ ମେଣ୍ଟ କରିଥିବା ଏନସିପିକୁ ନେଇ ବଡ ରିପୋର୍ଟ ପ୍ରକାଶ ପାଇଛି । ଯାହା ମହାରାଷ୍ଟ୍ରର ମେଣ୍ଟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପିର ଖରାପ ପ୍ରଦର୍ଶନ ପାଇଁ ଅଜିତ ପାୱାରଙ୍କ ଏନସିପି ସହ ମେଣ୍ଟକୁ ଏହି ପତ୍ରିକାରେ ଦାୟୀ କରାଯାଇଛି ।

Advertisment

ସାପ୍ତାହିକ ପତ୍ରିକା ବିବେକରେ ପ୍ରକାଶିତ ଖବର ଅନୁଯାୟୀ, ଲୋକସଭା ନିର୍ବାଚନରେ ପରାଜୟ ପଛର କେଉଁ କାରଣ ରହିଛି ପଚାରିଲେ ବିଜେପି କାର୍ଯ୍ୟକର୍ତ୍ତା ଏନସିପି ସହ ମେଣ୍ଟକୁ ପ୍ରଥମେ ଦାୟୀ କରୁଛନ୍ତି । କାରଣ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଏନସିପି ସହ ମେଣ୍ଟ ପ୍ରଥମରୁ ପସନ୍ଦ ନୁହେଁ । ଅନ୍ୟପଟେ ପୂର୍ବରୁ ଶିବସେନା ସହ ବିଜେପିର ମେଣ୍ଟ ହିନ୍ଦୁତ୍ୱ ଉପରେ ଆଧାରିତ ଥିଲା ଏବଂ ଏହା ଉଭୟ ଦଳକୁ ସୁହାଉଥିଲା । କିନ୍ତୁ ଏନସିପି ସହ ମେଣ୍ଟ ସମ୍ପୂର୍ଣ୍ଣ ଭିନ୍ନ । କାହିଁକି ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ଏଭଳି ଦଶା ଭୋଗିଲା ତାହାର କାରଣ ଖୋଜିବା ଉଚିତ ବୋଲି ପତ୍ରିକାରେ ଉଲ୍ଲେଖ କରାଯାଇଛି ।

ଏହି ପତ୍ରିକାରେ କୁହାଯାଇଛି ଯେ, ବିଜେପି ଏମିତି ଏକ ଦଳ ଯିଏ ନିଜ କାର୍ଯ୍ୟକର୍ତ୍ତାଙ୍କୁ ନେତା ଭାବେ ସୁଯୋଗ ଦେଇଥାଏ । କିନ୍ତୁ ଏବେ ଦଳୀୟ କାର୍ଯ୍ୟକର୍ତ୍ତା ଅନୁଭବ କରୁଛନ୍ତି ଯେ, ପୂର୍ବଭଳି କାର୍ଯ୍ୟକର୍ତ୍ତାଙ୍କୁ ଆଉ ସେଭଳି ପର୍ଯ୍ୟାପ୍ତ ସୁଯୋଗ ମିଳୁନାହିଁ । ବିଜେପି ଏବେ ଆମଦାନୀ ପାର୍ଟି ହୋଇଗଲାଣି । ଦାଗ ଧୋଉଥିବା ୱାସିଙ୍ଗ ମେସିନ ପାଲଟି ଗଲାଣି ବୋଲି କହି ବିଜେପି ଉକ୍ତ ପତ୍ରିକାରେ କଟାକ୍ଷ କରାଯାଇଛି । ଏହାପୂର୍ବରୁ ଆରଏସଏସର ମାଗାଜିନରେ ମଧ୍ୟ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ବିଜେପିକୁ ତୀର ମରାଯାଇଥିଲା । ଆରଏସଏସ ସଦସ୍ୟ ରତନ ଶାରଦା ଉକ୍ତ ଆଲେଖ୍ୟରେ ଦର୍ଶାଇଥିଲେ ଯେ, ବିଜେପି ନେତା ବାସ୍ତବରେ ଅସଲ ରାଜନୀତିକୁ ବୁଝିପାରନ୍ତି ଏବଂ ଆରଏସଏସ ସଦସ୍ୟଙ୍କୁ କିଛି ଜଣା ନାହିଁ ବୋଲି ମିଛ ଅହଙ୍କାରରେ ରହିଛନ୍ତି । ଯାହାକି ସମ୍ପୂର୍ଣ୍ଣ ହାସ୍ୟାସ୍ପଦ ।