ପେଗାସସ୍ ଜାଲରେ ବିଶ୍ୱହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡିଆ : ଦେଶଭକ୍ତଙ୍କୁ ନୁହେଁ ବରଂ ପାକିସ୍ତାନ ଏଜେଂଟଙ୍କ ଉପରେ ନଜର ରଖିବାକୁ ଦେଲେ ପରାମର୍ଶ

162

କନକ ବ୍ୟୁରୋ : ପେଗାସସ୍ ଘଟଣାକୁ ନେଇ ମୋଦୀ ଓ ଅମୀତ ଶାହାଙ୍କ ଉପରେ ଗର୍ଜିଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡିଆ । ଇଜ୍ରାଇଲ ସ୍ପାଏୱେବ ପେଗାସସ୍ ତାଲିକାରେ ପ୍ରବୀଣଙ୍କ ନାଁ ଆସିବା ପରେ ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି ପ୍ରବୀଣ । ଦେଶର ସାମ୍ବାଦିକ, ସମାଜକର୍ମୀ ଓ ତାଙ୍କ ପରି ଦେଶଭକ୍ତଙ୍କ ଉପରେ ଗୁଇନ୍ଦାଗିରି ନକରି ବରଂ ପାକିସ୍ତାନ ଏଜେଂଟଙ୍କ ଉପରେ ନଜର ରଖିଲେ ପୁଲୱାମା ପରି ସ୍ଥିତି ଉପୁଜିନଥାନ୍ତା ବୋଲି ସେ କହିଛନ୍ତି । ପ୍ରବୀଣଙ୍କ ଏପରି କଡା ମନ୍ତବ୍ୟକୁ ସମର୍ଥନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ।

ଏ ବିଷୟରେ ପ୍ରବୀଣଙ୍କୁ ପ୍ରଶ୍ନ କରିଥିଲେ ବିଭିନ୍ନ ଗଣମାଧ୍ୟମ । ଏହାର ଉତ୍ତରରେ ସେ କହିଥିଲେ, ଯେତେବେଳ କିଛି ଲୋକ ଶାସନରେ ନଥିଲେ ସେତେବେଳେ ତାଙ୍କ ସହ ସମ୍ପର୍କ ଭଲ ଥିଲା, ହେଲେ ସେମାନେ ସତ୍ତାକୁ ଆସିବା ପରେ ପ୍ରବୀଣଙ୍କ ମୁହଁ ଦେଖିବାକୁ ଚାହୁଁନାହାଁନ୍ତି । ଏହି କ୍ରମରେ ମୋଦୀଙ୍କ ସହ ତାଙ୍କ ସମ୍ପର୍କକୁ ଉଖାରିଥିଲେ । ଦିନ ଥିଲା ମୋଦୀ ଓ ତାଙ୍କ ମଧ୍ୟରେ ଗଭୀର ସମ୍ପର୍କ ଥିଲା । ମୋଦୀ ଓ ଅମିତ ଶାହାଙ୍କ ସହ ତାଙ୍କର ଘଣ୍ଟା ଘଣ୍ଟା କଥାବାର୍ତ୍ତା ହୁଏ । ଏହା ପରେ ବି ଯଦି ତାଙ୍କ କଥାକୁ ଲୁଚିଲୁଚି ଶୁଣିବାକୁ ପଡୁଛି ଏହା ଏକ ହାସ୍ୟାସ୍ପଦ କଥା   । ତାଙ୍କ ପରି ହଜାର ହଜାର ଦେଶଭକ୍ତଙ୍କ କଥାକୁ ଟ୍ୟାପିଙ୍ଗ କରି ପାକିସ୍ତାନୀ ଏଜେଂଟଙ୍କୁ ଦିଆଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଆହୁରି ମଧ୍ୟ କହିଥିଲେ ଯେ , ଯଦି ସରକାର ପେଗାସସରେ ନିଜ ସମ୍ପୃକ୍ତିକୁ ମନା କରୁଛନ୍ତି ତେବେ ପେଗାସସକୁ କିଏ କିଣିଛି ତାକୁ ସରକାର ଶଘ୍ର ଖୋଜି ବାହାର କରିବା ଉଚିତ ।

ସୂଚନା ମୁତାବକ , ପୂର୍ବରୁ ନରେନ୍ଦ୍ର ମୋଦୀ ଓ ପ୍ରବୀଣଙ୍କ ସମ୍ପର୍କ ଭଲ ଥିବାବେଳେ ୨୦୦୨ ପରଠାରୁ ଏଥିରେ ଫାଟ ସୃଷ୍ଟି ହୋଇଥିଲା । ଗତ କିଛି ଦିନ ପୂର୍ବେ ପ୍ରବୀଣ ରହସ୍ୟମୟ ଭାବେ ହଠାତ ଉଭାନ ହୋଇଯାଇଥିଲେ । ତାଙ୍କୁ ଅହମଦାବାଦ ଏୟାରପୋର୍ଟରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ପଚରାଯିବାରୁ ତାଙ୍କୁ ଏନକାଉଂଟର କରାଯିବାକୁ ଚେଷ୍ଟା କରାଯାଇଥିବା ସେ କହିଥିଲେ । ଏବେ ପେଗାସସରେ ତାଙ୍କ ଫୋନ ଟ୍ୟାପିଙ୍ଗକୁ ନେଇ ସେ ମୋଦୀ ସରକାଙ୍କ ଉପରେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ।