କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ନୂଆ ଇତିହାସ ଲେଖିଛନ୍ତି । ଉତ୍ତରପ୍ରଦେଶରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ସରକାର ଗଢିଛି । କିନ୍ତୁ ଚଳିତ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଛି ସମାଜବାଦୀ ପାର୍ଟି । ଅଧିକାଂଶ ଆସନରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସାଜି ଉଭା ହୋଇଥିଲା ସମାଜବାଦୀ ପାର୍ଟି । ତେବେ ଏସବୁ ଭିତରେ ବିଏସପି ସୁପ୍ରିମୋ ମାୟାବତୀ ଏକ ବଡ ବୟାନ ଦେଇଛନ୍ତି । ଯାହା ଉତ୍ତରପ୍ରଦେଶ ରାଜନୀତିକୁ ରୋଚକ କରିଛି ।

Advertisment

ବିଜେପିର ବୃହତ ବିଜୟକୁ ନେଇ ମାୟାବତୀ କହିଛନ୍ତି, ନିର୍ବାଚନ ବେଳେ ଆରଏସଏସ ଲୋକ ଆମ କର୍ମୀଙ୍କ ମଧ୍ୟରେ ପ୍ରଚାର କରିଥିଲେ ଯେ, ଯଦି ବିଏସପିର ସରକାର ନ ଆସୁଛି ତେବେ ମାୟାବତୀଙ୍କୁ ରାଷ୍ଟ୍ରପତି କରି ଦିଆଯିବ । ତେଣୁ ବିଜେପିକୁ ପୁଣିଥରେ କ୍ଷମତାକୁ ଆଣିବା ଆବଶ୍ୟକ । ମାୟାବତୀ କହିଛନ୍ତି, ରାଷ୍ଟ୍ରପତି ହେବା ମୋ ପାଇଁ ବହୁତ ଦୂରର କଥା । ଏକଥା ମୁଁ କେବେ ସ୍ୱପ୍ନରେ ସୁଦ୍ଧା ଭାବିନାହିଁ । ତେବେ ମାୟାବତୀଙ୍କ ଏଭଳି ବୟାନ ସେତେବେଳେ ଆସିଛି ଯେତେବେଳେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

୫ଟି ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଏବେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ବିଜେପି ନିଜ ସମର୍ଥିତ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଆସନରେ ବସାଇବ ବୋଲି ଆଶାବାଦୀ ରହିଛି, କିନ୍ତୁ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଅନ୍ୟ ରାଜ୍ୟର ନିର୍ବାଚନ ଫଳାଫଳ ସମୀକରଣ ବଦଳିଯିବା ପରେ ଏବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅନ୍ୟ ଦଳ ଉପରେ ବିଜେପିକୁ ନିର୍ଭର କରିବାକୁ ପଡିପାରେ । ତେଣୁ ଆଗକୁ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ବେଶ ରୋଚକ ହୋଇପାରେ ବୋଲି ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି ।