କନକ ବ୍ୟୁରୋ : ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ବିଭିନ୍ନ ମହାକାଶ ଅଭିଯାନ ଯଥା ଚନ୍ଦ୍ରଯାନ, ଗଗନଯାନ ଏବଂ ଆଦିତ୍ୟ ଏଲ୧ ନିମନ୍ତେ ସ୍ପେଶାଲ ଗ୍ରେଡ ଏମଡ଼ିଏନ-୨୫୦ (ମରାଜିଙ୍ଗ ଷ୍ଟିଲ) ଯୋଗାଇ ଦେଇଛି।

Advertisment

ସୂଚନାଯୋଗ୍ୟ ଯେ, ଆରଏସପିର ପ୍ଲେଟ୍ ମିଲ୍ ହାଇଦ୍ରାବାଦର ମିଶ୍ର ଧାତୁ ନିଗମ (ମିଧାନି) ପାଇଁ ମରାଜିଂ ଷ୍ଟିଲର ଚଉଡା ପ୍ଲେଟ୍ ରୋଲିଙ୍ଗ କରିଥାଏ। ଏହି ଷ୍ଟିଲ ଇସ୍ରୋର ପିଏସଏଲଭି ଏବଂ ଜିଏସଏଲଭି କାର୍ଯ୍ୟକ୍ରମରେ ବ୍ୟବହୃତ ହୁଏ । ଉକ୍ତ ମିଲ୍ ଗତ ଦଶନ୍ଧିରେ ୧୧୩୦ ଟନ୍ ମରାଜିଂ ଷ୍ଟିଲ୍ ରୋଲିଙ୍ଗ କରି ଏହି ଉଦ୍ଦେଶ୍ୟରେ ମିଧାନୀକୁ ଯୋଗାଇ ଦେଇଛି।

ଉଲ୍ଲେଖନୀୟ ଯେ, ମେରେଜିଙ୍ଗ ଷ୍ଟିଲ ଏକ ସ୍ଵତନ୍ତ୍ର ମାନର ଷ୍ଟିଲ ଅଟେ ଏବଂ ଏଥିରେ ନିକେଲ, କୋବାଲ୍ଟ, ମୋଲିବେଡନମ୍, ଟିଟାନିୟମ ଏବଂ ଆଲୁମିନିୟମ ନିହିତ ରହିଛି । ଏହାକୁ ଭେକ୍ୟୁମ ମେଲଟିଙ୍ଗ ପ୍ରୋସେସରେ ପ୍ରସ୍ତୁତ କରାଯାଇଥାଏ। ମେରେଜିଙ୍ଗ ଷ୍ଟିଲ ରୋଲିଙ୍ଗରେ ଅତ୍ୟନ୍ତ କଠିନ ପରିମାପକତାର ପ୍ରୟୋଜନ ହୋଇଥାଏ । ସାଧାରଣତଃ ଉଚ୍ଚ ସାମର୍ଥ୍ୟ ଯୁକ୍ତ ଷ୍ଟିଲର ନମନୀୟତା (ଡକ୍ଟିଲିଟି) କମ ରହିଥାଏ । କିନ୍ତୁ ମରାଜିଙ୍ଗ ଷ୍ଟିଲର ବିଶେଷତ୍ଵ ହେଉଛି ଯେ, ଏହା ଉଚ୍ଚ ସାମର୍ଥ୍ୟଯୁକ୍ତ (ମାଇଲ୍ଡ ଷ୍ଟିଲର ସାମର୍ଥ୍ୟଠାରୁ ୫ରୁ ୬ ଗୁଣ) ହେବା ସଙ୍ଗେସଙ୍ଗେ ଏହାର ନମନୀୟତା ମଧ୍ୟ ଉତ୍ତମ ରହିଥାଏ ।

ଲଞ୍ଚ ଭେହିକାଲ ରକେଟ ମୋଟର କେସିଙ୍ଗ ପ୍ରସ୍ତୁତିରେ ତଥା ପ୍ରତିରକ୍ଷାର ଅନ୍ୟାନ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ମରାଜିଙ୍ଗ ଷ୍ଟିଲ ବ୍ୟବହୃତ ହୋଇଥାଏ । ଏହି ଅନନ୍ୟ ଇସ୍ପାତରେ ଅତୁଳନୀୟ ସାମର୍ଥ୍ୟ ଓ ଡକ୍ଟିଲିଟି ରହିଛି ଏବଂ ଏହା ମହାକାଶ ଅଭିଯାନରେ ଜଟିଳ ଯନ୍ତ୍ରୋପକରଣର ପ୍ରଦର୍ଶନ ଓ ନିର୍ଭରଶୀଳତାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।