ମୁମ୍ବାଇ ଅଗ୍ନିକାଣ୍ଡ ଘଟଣା । ମୃତକଙ୍କ ପରିବାରକୁ ୭ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା

166

କନକ ବ୍ୟୁରୋ: ଆଜି ଭୋର ସମୟରେ ମୁମ୍ବାଇ ତାରଦେବ ଇଲାକାର ଭାଟିୟା ହସ୍ପିଟାଲ ପାଖରେ ଥିବା ଏକ ବହୁତଳ ଅଟ୍ଟାଳିକାରେ ଭୟାବହ ଅଗ୍ନିିକାଣ୍ଡ ରେ ପ୍ରାଣ ହରାଇଥିବା ପରିବାରକୁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର । ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିବାବେଳେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ସେହିପରି ଏହି ଘଟଣାରେ ପ୍ରତି ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଆଜି ଭୋର ସମୟରେ ମୁମ୍ବାଇ ତାରଦେବ ଇଲାକାର ଭାଟିୟା ହସ୍ପିଟାଲ ପାଖରେ ଥିବା ଏକ ବହୁତଳ ଅଟ୍ଟାଳିକାରେ ଭୟାବହ ଅଗ୍ନିିକାଣ୍ଡ ଘଟିଛି । ଫଳରେ ୭ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟ ୧୯ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଧୂଆ ଯୋଗୁଁ ପାଖାପାଖି ରୁମରେ ରହୁଥିବା ଲୋକେ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡିଥିବା ଜଣାପଡିଛି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଏଠାରେ ଥିବା ‘କମଳା ଆପାର୍ଟମେଣ୍ଟ’ରେ ଆଜି ସକାଳ ପାଖାପାଖି ୭ଟା ସମୟରେ ନିଆଁ ଲାଗିଯାଇଥିଲା । । ଖବର ପାଇଁ ଘଟଣାସ୍ଥଳରେ ତୁରନ୍ତ ୧୩ଟି ଦମକଳ ଓ ୭ଟି ୱାଟର ଟେି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିପାରିଥିଲେ ବି ଏବେବି ପ୍ରବଳ ଧୂଆଁ ନିର୍ଗତ ହେଉଛି । ଫଳରେ ସ୍ଥାନୀୟ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେଉଛି । ତେବେ ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ଆହତଙ୍କୁ ସ୍ଥାନୀୟ ଭାଟିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୬ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ୧୩ଜଣଙ୍କୁ ସାଧାରଣ ବେଡରେ ରଖି ଚିକିତ୍ସା କରାଯାଉଛି ।