ଜଗନ୍ନାଥଙ୍କ ଟଙ୍କା ପରେ ୟେସ ବ୍ୟାଙ୍କରେ ଓଏମସିର ଟଙ୍କା ଜମାକୁ ନେଇ ବିଧାନସଭାରେ ଅଭିଯୋଗ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଲେ, ୬୫୦ କୋଟି ଜମା ରଖିଛି ଓଏମସି

280

କନକ ବ୍ୟୁରୋ: ଜଗନ୍ନାଥଙ୍କ ଟଙ୍କା ପରେ ୟେସ ବ୍ୟାଙ୍କରେ ଓଏମସିର ଟଙ୍କା ଜମାକୁ ନେଇ ବିଧାନସଭାରେ ଅଭିଯୋଗ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଓଡିଶା ମାଇନିଂ କରପୋରେସନ ୟେସ ବ୍ୟାଙ୍କରେ ୬୫୦ କୋଟି ଜମା ରଖିଛି । ଗତ ବର୍ଷ ଏପ୍ରିଲ ମାସରେ ଏହି ଟଙ୍କା ଓଏମସି ପକ୍ଷରୁ ଜମା କରାଯାଇଥିବା ନେଇ ସୂଚନା ମିଳିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କ ଉପରେ କଟକଣା ଜାରି କରିବା ପରେ ଏସବୁ ଟଙ୍କା ଫେରି ପାଇବା ନେଇ ଅନିଶ୍ଚିତତା ରହିଛି । ପୂର୍ବରୁ ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରେ ଜମା କରିବା ସଂପର୍କରେ ତୁମ୍ବି ତୋଫାନ ହେବା ପରେ ଏବେ ପୁଣି ଓଏମସି ଟଙ୍କା ଜମାକୁ ନେଇ ପ୍ରଶ୍ନ ଉଠିଛି ।

 

ଅନ୍ୟପଟେ ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଂକା ରଖିବା ପ୍ରସଙ୍ଗରେ ଆଜି ବିଧାନସଭାରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ମନ୍ତ୍ରୀ ଗୃହରେ କହିଛନ୍ତି ମାର୍ଚ ୫ ତାରିଖ ଯାଏଁ ୟେସ୍ ବ୍ୟାଙ୍କ ସହିତ ଆର୍ଥିକ କାରବାର ନକରିବାକୁ ନେଇ କୌଣସି ସୂଚନା ଆସିନଥିଲା । ଶ୍ରୀମନ୍ଦିରର ଟଙ୍କା ରଖିବାକୁ ମୋଟ୍ ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ । କିନ୍ତୁ ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବାକୁ ପ୍ରସ୍ତାବ ଦେଇଥିବାରୁ ଜଗନ୍ନାଥଙ୍କ ଟଙ୍କା ଏଥିରେ ରଖାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ମନ୍ତ୍ରୀ କହିଛନ୍ତି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଜରିଆରେ ହୋଇଥାଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ ବୋଲି କହିଛନ୍ତି ।

ଆଜି ବିଧାନସଭାନରେ ଏ ନେଇ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ଚାଟାର୍ଡ ଆକାଂଉଟାଂଟ ବିଜୟ ସାହୁଙ୍କୁ ଟାର୍ଗେଟ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଅଭିଯୋଗ କରିଥିଲେ, ଜଗନ୍ନାଥଙ୍କୁ କାଙ୍ଗାଳ କରିବା ପ୍ରୟାସରେ ଲାଗିଛନ୍ତି ସରକାର । ଭକ୍ତଙ୍କ ଆବେଗ ସହ ଖେଳାଯାଉଛି । ଜଗନ୍ନାଥଙ୍କ ସମ୍ପତି ଲୁଟିବାକୁ ଉଦ୍ୟମ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କିଏ ୟେଶ ବ୍ୟାଙ୍କରେ ଟଙ୍କା ରଖିଲା ମନ୍ତ୍ରୀ ଗୃହରେ ଉତର ରଖିବାକୁ ମୋହନ ମାଝି ଦାବି କରିଥିଲେ । ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ମହାପ୍ରଭୁଙ୍କ ଟଙ୍କା ଚଳୁ କରିଛନ୍ତି । ଏପରିକି ବିଜୟ ସାହୁଙ୍କୁ ବି ଟାର୍ଗେଟ କରିଥିଲେ ମୋହନ ମାଝି । ଏହି ଟଙ୍କାର ପ୍ରଦୀପ୍ତ ମହାପାତ୍ର ଓ ବିଜୟ ସାହୁ ୟୁରୋପ ଗସ୍ତ କରିଥିଲେ କି ସରକାରଙ୍କ ଜବାବ ଦିଅନ୍ତୁ ବୋଲି ଆଲୋଚନା ବେଳେ ଦାବି କରିଥିଲେ ମୋହନ । ଘଟଣାର ସିବିଆଇ ତଦନ୍ତ ପାଇଁ ବି ସେ ଦାବି କରିଥିଲେ ।

Comments are closed.