କନକ ବ୍ୟୁରୋ : ଲକଡାଉନ ଓ କରୋନା ସଂକ୍ରମଣ ଯୋଗୁଁ ଦେଶର ଅର୍ଥନୈତିକ ବ୍ୟବସ୍ଥା ପୁଣି ବିପଦରେ ପଡିଛି । ଏପରି ସମୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସମିଟ କରି ବଡ ଘୋଷଣା କରିଛନ୍ତି । କରୋନା ଟିକା ନିର୍ମାତା କମ୍ପାନୀ ଓ ହସ୍ପିଟାଲର ଭିତ୍ତିଭୂମିରେ ସୁଧାର ପାଇଁ ଆରବିଆଇ ୫୦ ହଜାର କୋଟି ଟଙ୍କାର ରୁଣ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର । ୫୦ ହଜାର କୋଟି ଟଙ୍କାର ନଗଦ ରାଶି କୋଭିଡ ହେଲଥ କେୟାର ସହ ସଂପର୍କିତ ଭିତିଭୂମୀ ପାଇଁ ମିଳିବ । ଏହା ଜରିଆରେ ବ୍ୟାଙ୍କ ଟିକା ନିର୍ମାତା, ଟିକା ଆମଦାନୀକାରୀ, ଅକ୍ସିଜେନ ସପ୍ଲାଏର, କରୋନା ଔଷଧ ଉତ୍ପାଦନକାରୀ କଂପାନୀ, ହସ୍ପିଟାଲ, ପ୍ୟାଥୋଲ୍ୟାବ ପାଇଁ ରୁଣ ଯୋଗାଇ ଦିଆଯିବ ।
ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇଛି । ଯାହାର ପ୍ରଭାବ ସିଧାସଳଖ ଦେଶର ଅର୍ଥନୀତି ଉପରେ ପଡିବ । ଏଥିପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି, ଏହି ମହାମାରୀ ପାଇଁ ଜରୁରୀକାଳୀନ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ୫୦ହଜାର କୋଟି ଟଙ୍କାର ଲିକ୍ୟୁଡିଟି ଟର୍ମ ବ୍ୟବସ୍ଥା କରିଛି ଆରବିଆଇ ।
ବ୍ୟାଙ୍କ ଗୁଡିକ ପାଇଁ ୩ବର୍ଷ ଅବଧିର ୫୦ହଜାର କୋଟି ଟଙ୍କା ପାଣ୍ଠି ଯୋଗାଇ ଦେବାକୁ ଘୋଷଣା କରିଛନି ଶକ୍ତିକାନ୍ତ ଦାଶ । ଏହା ମାଧ୍ୟମରେ ବ୍ୟାଙ୍କ ଗୁଡିକ ଟିକା ନିର୍ମାତା, ଟିକା ପରିବହନ ଓ ରପ୍ତାନୀକାରୀଙ୍କୁ ସହଜ କିସ୍ତିରେ ଋଣ ପ୍ରଦାନ କରିବେ । ଏହା ବାଦ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମାନେ ମଧ୍ୟ ଏହାର ସୁବିଧା ପାଇବେ ।
କରୋନାର ପ୍ରଥମ ଲହର ପରେ ଆର୍ଥିକ ସ୍ଥିତି ଦ୍ରୁତ ଗତିରେ ସୁଧୁରୁଥିଲା । ଏବେ କିନ୍ତୁ ଦ୍ଵିତୀୟ ଲହର ପାଇଁ ଏହା ପୁଣି ଥରେ ପ୍ରଭାବିତ ହୋଇଛି । ଏହାକୁ ଲକ୍ଷ୍ୟରେ ରଖି ଫାର୍ମା ଭିତ୍ତିଭୂମି ପାଇଁ ଆରବିଆଇ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ରାଜ୍ୟ ଗୁଡିକ ପାଇଁ ଓଭର ଡ୍ରାଫ୍ଟ ସୁବିଧା ସହିତ ରିହାତି ବ୍ୟବସ୍ଥା ରହିଛି । କରୋନା ମହାମାରୀ ସମୟରେ ଲକଡାଉନ ଓ ସଟଡାଉନ ଯୋଗୁଁ ଏହାର ପ୍ରଭାବ ଦେଶର ଆର୍ଥିକ ଅଭିବୃଦ୍ଧି ଉପରେ ପଡିଛି । ଏହା ଉପରେ ନଜର ରଖିଛନ୍ତି ଆରବିଆଇ ଗଭର୍ଣ୍ଣର ।