କନକ ବ୍ୟୁରୋ : ବେସାହାରାଙ୍କୁ ସାହାରା ଦେବେ ଶିବରାଜ ସରକାର । ଗରିବ ପରିବାରକୁ ମାସକୁ ମିଳିବ ୫ହଜାର ଟଙ୍କା । କରୋନା ମହାମାରୀରେ ଯେଉଁ ପିଲାମାନଙ୍କ ମୁଣ୍ଡ ଉପରୁ ବାପା ମା’ଙ୍କ ସୁରକ୍ଷାର ହାତ ଉଠିଯାଇଛି, ସେମିତି ପିଲାମାନଙ୍କ ଅଭିଭାବକ ଏବେ ଶିବରାଜ ସରକାର ହେବେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବାବଦରେ ବଡ଼ ନିଷ୍ପତି ନେଇଛନ୍ତି । ଆଉ ଘୋଷଣା କରିଛନ୍ତି, କରୋନା ମହାମାରୀ ଭଳି ସଙ୍କଟ ବେଳେ ବେସାହାରା ହୋଇଯାଇଥିବା ପିଲାମାନଙ୍କର ଜୀବନଯାପନର ଦାୟିତ୍ୱ ବହନ କରିବେ ମଧ୍ୟପ୍ରଦେଶ ସରକାର ।

Advertisment

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ଯେଉଁ ଘରେ ରୋଜଗାର କରିବାକୁ କେହି ନଥିବେ, ସେମିତି ଗରିବ ପରିବାରକୁ ପ୍ରତି ମାସ ୫୦୦୦ ଟଙ୍କାର ପେନସନ୍ ମଧ୍ୟ ପ୍ରଦାନ କରାଯିବ । ଏପରିକି ଯେଉଁ ପିଲାମାନେ ବେସାହାରା ହୋଇପଡିଛନ୍ତି, ସେମାନେ କେମିତି ଆଗକୁ ପାଠ ପଢିବେ, ସେମାନଙ୍କର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର ।

ଶିବରାଜ ସରକାର ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ଏମିତି ସମସ୍ତ ଗରିବ ପରିବାରକୁ ମାଗଣାରେ ରାସନ ସାମଗ୍ରୀ ମଧ୍ୟ ପ୍ରଦାନ କରାଯିବ । ଏପରିକି ଯଦି କୌଣସି ପରିବାର ସରକାରଙ୍କ ଯୋଜନାର ତାଲିକାରେ ଅନ୍ତର୍ଭୁକ୍ତ ନାହାନ୍ତି, ସେମାନଙ୍କୁ ମଧ୍ୟ ମାଗଣାରେ ରାସନ ସାମଗ୍ରୀ ମିଳିବ ।

ଏହା ସହ ଝିଅମାନଙ୍କ ପାଇଁ ବଡ ଘୋଷଣା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ଝିଅମାନଙ୍କ ପରିବାରରେ କରୋନା କଷ୍ଟ ଉଜାଡିଦେଇଛି, ସେହି ଝିଅମାନଙ୍କୁ ସକ୍ଷମ କରିବା ପାଇଁ ସରକାର ନିଜ ଗ୍ୟାରେଂଟିରେ ବିନା କୌଣସି ସୁଧରେ ଋଣ ଯୋଗାଇଦେବେ । ଯେପରିକି ସେମାନେ କିଛି ମାତ୍ରାରେ ସକ୍ଷମ ହୋଇପାରିବେ ।

ତେବେ ନିକଟରେ ଏମିତି ଅନେକ କାହାଣୀ ସାମ୍ନାକୁ ଆସିଥିଲା, ଯେଉଁଥିରେ ସରକାର ଜାଣିବାକୁ ପାଇଥିଲେ, କରୋନା ଅନେକ ହସଖୁସିର ପରିବାରରେ ଦୁଃଖର ପାହାଡ ଅଜାଡିଦେଇଛି । ଏପରିକି ଅନେକ ଛୋଟ ଛୋଟ ପିଲାଙ୍କୁ ବେସାହାରା କରିଦେଇଛି ମହାମାରୀ କରୋନା । କିଏ ନିଜ ପରିବାରକୁ ହରାଇଛି, ତ ଆଉ କାହାର ମୁଣ୍ଡ ଉପରୁ ବାପା ମା’ଙ୍କ ଆଶ୍ରା ହରାଇଛି । ଆଉ ଏପରି ସଙ୍କଟ ସମୟରେ ସାହାରା ସାଜିବା ପାଇଁ ସରକାର ବଡ ନିଷ୍ପତି ନେଇଛନ୍ତି ।

କରୋନା, କଷ୍ଟର କେତେ ଯେ, କାହାଣୀ ଲେଖିଲାଣି, ତାହା ମନେପଡିଲେ ଛାତି ଥରିଉଠୁଛି । କରୋନା ସହ ସଂଘର୍ଷ ଭିତରେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି । ଲକଡାଉନ୍, ସଟଡାଉନ୍ କାରଣରୁ ଅନେକ ଗରିବ ପରିବାର ଦୁଃଖକଷ୍ଟରେ ଜୀବନ ଜିଉଁଛନ୍ତି । ଆଉ ଏତିକି ବେଳେ ମଧ୍ୟପ୍ରଦେଶ ସରାକାରଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରଂଶସା କରୁଛନ୍ତି ।