ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କରୋନାରେ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଦିଆଯିବ ୫୦ହଜାର ଟଙ୍କା ।

139

କନକ ବ୍ୟୁରୋ: କୋଭିଡ ଜନିତ ମୃତ୍ୟୁ ହେଲେ ରାଜ୍ୟ ସରକାର ମୃତକଙ୍କ ପରିବାରବର୍ଗଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବେ । ଏନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହିି କ୍ଷତିପୂରଣ ଦିଆଯିବ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଜିଲ୍ଲା ପ୍ରଶାସନଙ୍କ ମାଧ୍ୟମରେ କ୍ଷତିପୂରଣ ମୃତକଙ୍କ ପରିବାର ପାଖରେ ପହଞ୍ଚିବ । କୋଭିଡ ରିଲିଫ ଓ ପ୍ରସ୍ତୁତି ଜନିତ କାର୍ଯ୍ୟରେ ସାମିଲ ଥିବା ବ୍ୟକ୍ତିଙ୍କର ଯଦି କରୋନାରେ ମୃତ୍ୟୁ ହୁଏ, ତାଙ୍କ ପରିବାରକୁ ମଧ୍ୟ ଏହି କ୍ଷତିପୂରଣ ମିଳିବ । ତେବେ ମୃତ୍ୟୁର କାରଣ କୋଭିଡ ଜନିତ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ଦେଖାଇବାକୁ ହେବ । ମୃ୍ତକଙ୍କ ପରିବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ସ୍ୱତନ୍ତ୍ର ଫର୍ମରେ ଉପଯୁକ୍ତ କାଗଜପତ୍ର ସହ କ୍ଷତିପୂରଣ ପାଇଁ ଦାବି କରିପାରିବେ । କାଗଜପତ୍ର ଦାଖଲର ୩୦ ଦିନ ମଧ୍ୟରେ କ୍ଷତିପୂରଣ ମିଳିବ ଓ ଆକାଉଣ୍ଟକୁ ସିଧାସଳଖ ଭାବେ ଏହି ଅର୍ଥକୁ ପଠାଯିିବ । ଯଦି କିଛି ବିବାଦ ଉପୁଜେ, ତାହେଲେ ଜିଲ୍ଲାସ୍ତରୀୟ କମିଟି ଏହାର ସମାଧାନ କରିବ । ଏହି କମିଟିରେ ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ ଓ ଜଣେ ବିଶେଷଜ୍ଞ ସାମିଲ ରହିବେ । ଦେଶରେ ଏଯାଏଁ କରୋନା ଯୋଗୁଁ ୪ ଲକ୍ଷ ୪୫ ହଜାର ଲୋକଙ୍କ ଜୀବନ ଯାଇସାରିଲାଣି ।