ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନରେ ୫ କୋଟି ଟଙ୍କା ହେରଫେର । ଆକାଉଂଟ ହ୍ୟାକ୍ କରି ଇ-ଚେକ୍, ନକଲି ସିଲ୍ ଜରିଆରେ ବେଆଇନ ଭାବେ ଟଙ୍କା ଟ୍ରାନସଫର୍

228

କନକ ବ୍ୟୁରୋ: ଯେଉଁଠି ଆକାଉଂଟାଂଟ ଥିଲେ, ଯେଉଁ ବ୍ୟାଙ୍କ ଅକାଉଂଟର ହିସାବ କିତାବ ରଖୁଥିଲେ, ସେହି ଆକାଉଂଟରୁ ଗାଏବ କରିଦେଲେ ୫ କୋଟିରୁ ଅଧିକ ଟଙ୍କା । ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନ୍ରେ ଏଭରି ବିପୁଳ ପରିମାଣର ଟଙ୍କା ହେରପେର ହୋଇଥିବା ଅଭିଯୋଗ ହୋଇଛି । ମାମଲାର ତଦନ୍ତ କରି ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନ୍ର ପୂର୍ବତନ ଆକାଉଂଟାଂଟଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ଇଓଡବ୍ଲୁ । ପୂର୍ବରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଫେରାର ରହିଥିବା ଜଣାପଡିଛି ।

ରାଜକିଶୋର ନାୟକ । ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନ୍ରେ ଆକାଉଂଟାଂଟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ସଂସ୍ଥାରେ ସେ ଚାକିରି କରିଥିଲେ, ସେହି ସଂସ୍ଥାର ବ୍ୟାଙ୍କ ଆକାଉଂଟରୁ ୫ କୋଟି ଟଙ୍କା ହେରଫେର କରିଥିଲେ । ଏସବିଆଇ ସୋନପୁର ଶାଖାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଏନ୍ଏଚ୍ଏମ୍ ସୋନପୁର ନାଁରେ ଥିବା ବ୍ୟାଙ୍କ ଆକାଉଂଟରୁ ଏପ୍ରିଲ ୭ ତାରିଖ ଦିନ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଅନ୍ୟ ଏକ ଆକାଉଂଟକୁ ଟ୍ରାନ୍ସଫର ହୋଇଥିଲା । ଏହି ହେରଫେର ନେଇ ସିଡିଏମଓଙ୍କ ସମେତ କେହି ଟେର୍ ପାଇନଥିଲେ । ମାସିକ ଷ୍ଟେଟମେଂଟ ବେଳେ ଏହା ସାମନାକୁ ଆସିଥିଲା ।

ଏପ୍ରିଲ ମାସ ୨୯ ତାରିଖରେ ବ୍ୟାଙ୍କ ଆକାଉଂଟରେ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଗାଏବ ହୋଇ ଯାଇଥିବା ନେଇ କର୍ତୃପକ୍ଷକୁ ଜଣାଇଥିଲେ ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନ୍ର ଆକାଉଂଟାଂଟ । ଏ ନେଇ ଭୁବନେଶ୍ୱର ଇଓଡବ୍ଲୁ ଏସପିଙ୍କ ନିକଟରେ ଏଫଆଇଆର୍ ଦେଇଥିଲେ ସିଡିଏମଓ । ଏହା ପରେ ଆରମ୍ଭ ହୋଇଥିଲା ତନାଘନା ।

ମାମଲାର ତଦନ୍ତ କରି ରାଜକିଶୋର ନାୟକ ଓ ତାଙ୍କୁ ସହଯୋଗ କରିଥିବା ଅନନ୍ତ ଚରଣ ପ୍ରଧାନଙ୍କୁ ଗିରଫ କରିଛି ବ୍ରାଇମବ୍ରାଂଚର ଇକୋନମିକ୍ ଅଫେନ୍ସ ୱିଙ୍ଗ । ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ରାଜକିଶୋର ନାୟକ ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନ୍ରେ ଅସ୍ଥାୟୀ ଭିତିରେ ଆକାଉଂଟାଂଟ ଭାବେ କାର୍ଯ୍ୟ କରୁଥିଲେ । ୨୦୨୦ ଡିସେମ୍ବର ମାସରେ ସେ ଚାକିରି ଛାଡିଥିଲେ ।

ସୂଚନା ଅନୁସାରେ ଚାକିିରି ଛାଡ଼ିବା ପରେ ଠକାମିର ନକ୍ସା ପ୍ରସ୍ତୁତ କରିଥିଲେ ସୋନପୁର ଜାତୀୟ ସ୍ୱାସ୍ଥ୍ୟ ମିସନ୍ର ପୂର୍ବତନ ଆକାଉଂଟାଂଟ ରାଜକିଶୋର ନାୟକ । ବ୍ୟାଙ୍କ ଆକାଉଂଟକୁ ହ୍ୟାକ କରି ଇ-ଚେକ୍ ସୃଷ୍ଟି କଲେ । ସିଡିଏମଓଙ୍କ ନକଲି ସିଲ୍ ବ୍ୟବହାର କରି ଏମ/ଏସ୍ ନାଚୁରାଲ୍ସ ନାମକ ଏକ ସଂସ୍ଥାର ଆକାଉଂଟକୁ ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି ।

ଯେହେତୁ ଆକାଉଂଟାଂଟ ଭାବେ କାମ କରୁଥିଲେ ରାଜକିଶୋର, ମାପିଚୁପି ଠକାମୀର ପୂରା ନକ୍ସା ପ୍ରସ୍ତୁତ କରିଥିଲେ ସେ । ଅଭିଯୋଗ ଅନୁସାରେ ପବ୍ଲିକ ଫାଇନାନ୍ସ ମନିଟରିଂ ସିଷ୍ଟମରେ ଆଇଡି ଓ ପାସୱାର୍ଡ ଦେଇ ଇ-ଚେକ୍ ସୃଷ୍ଟି କରିବା ପରେ ସିଡିଏମଓଙ୍କ ନକଲି ସିଲ୍ ତିଆରି କରି ସୋନପୁର ଏସବିଆଇ ଶାଖାରେ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର କରାଇ ନେଇଥିଲେ । ଅବଶ୍ୟ ଅନୁସନ୍ଧାନ ପରେ ୩ କୋଟି ୩୦ ଲକ୍ଷ ଟଙ୍କାକୁ ଫ୍ରିଜ୍ କରାଯାଇଛି ।

ସବୁଠୁ ବଡ଼ ପ୍ରଶ୍ନ ହେଉଛି, ୫ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର ହୋଇଥିବା ବେଳେ ବ୍ୟାଙ୍କ କର୍ତୃପକ୍ଷ କାହିଁକି କାହିଁକି ଖେଳତାଡ଼ କରିନଥିଲେ । ଏହା ବ୍ୟାଙ୍କର ଅବହେଳା କିମ୍ବା କୌଣସି ବ୍ୟାଙ୍କ ଅଧିକାରୀ ଏହି ଠକାମୀ ସହ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।ଭୁବନେଶ୍ୱର ଇଓଡବ୍ଲୁ ଏସପିଙ୍କ ନିକଟରେ ଦିଆଯାଇଥିବା ଏଫଆଇଆର୍ରେ ବେଆଇନ କାରବାର ପାଇଁ ବ୍ୟାଙ୍କ ଅଧିକାରୀଙ୍କ ସଂପୃକ୍ତି ଥାଇପାରେ ବୋଲି ମଧ୍ୟ ଉଲ୍ଲେଖ ରହିଛି ।