କନକ ବ୍ୟୁରୋ: ପୁଣି ବଢିପାରେ ତେଲ ଦର । ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ସାଢେ ୩ରୁ ୪ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । କର୍ଣ୍ଣାଟକ ନିର୍ବାଚନ ଯୋଗୁଁ ତେଲ ଦର ବୃଦ୍ଧି କରିନଥିବାରୁ ବିପୁଳ କ୍ଷତି ସହିଛନ୍ତି ତେଲ କମ୍ପାନୀ । ତେଲ ବିକ୍ରି ଉପରେ ସେମାନଙ୍କର ଯେଉଁ ମାର୍ଜିନ ରହିଥିଲା ତାହା ୩୧ ପଇସା ଭଳି ନିମ୍ନ ସ୍ତରକୁ ଚାଲିଆସିଛି । ପୂର୍ବଭଳି ମାର୍ଜିନ ହାସଲ କରିବାକୁ ହେଲେ ତେଲ କମ୍ପାନୀ ଗୁଡିକୁ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ୪ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଆଣିବାକୁ ପଡିବ । ନିର୍ବାଚନ ପୂର୍ବରୁ ତେଲ କମ୍ପାନୀ ଗୁଡିକର ଲିଟର ପିଛା ବିକ୍ରି ଉପରେ ମାର୍ଜିନ ପରିମାଣ ୨ଟଙ୍କା ୭୦ ପଇସା ଭଳି ସ୍ତରେର ରହୁଥିଲା । ଏହାପରଠାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇ ୮୦ ଡଲାର ଟପିଲାଣି ।
ଅଶୋଧିତ ତେଲ ଦର ୮୦ ଡଲାର ଟପିଲା
ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୦ ଡଲାର ଟପିଯାଇଛି। ୨୦୧୪ ପରେ ପ୍ରଥମ ଥର ପାଇଁ ଅଶୋଧିତ ତେଲ ଦର ଏଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ତେଲ ଆମଦାନି କରି ଆବଶ୍ୟକତା ମେଣ୍ଟାଉଥିବା ଦେଶଗୁଡ଼ିକ ପାଇଁ ଏହା ଏକ ଖରାପ ଖବର। ଚଳିତ ବର୍ଷ ଜାନୁଆରି ପରଠାରୁ ଅଶୋଧିତ ତେଲ ଦରରେ ୨୦% ବୃଦ୍ଧି ହୋଇସାରିଲାଣି। ବ୍ରେଣ୍ଟକ୍ରୁଡର ବ୍ୟାରେଲ ପିଛା ଦର ୮୦.୧୮ ଡଲାର ହୋଇଛି। ସେହି ସମୟରେ ୟୁଏସ କ୍ରୁଡର ଦର ୭୧.୮୩ ଡଲାର ରହିଛି। ଓପେକ୍ ରାଷ୍ଟ୍ର ସମୂହର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଇରାନ୍ ଉପରେ ଆମେରିକା ପୁଣି ଥରେ ଅର୍ଥନୈତିକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ତେଣୁ ଇରାନରୁ ତେଲ ରପ୍ତାନି କମିଯିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଯୋଗାଣ ପ୍ରଭାବିତ ହେବା ଆଶଙ୍କା କରି ବିଭିନ୍ନ ଦେଶର କଂପାନିଗୁଡ଼ିକ ଅଧିକ ମାତ୍ରାରେ ଅଶୋଧିତ ତେଲ କିଣିବାକୁ ପ୍ରୟାସ କରୁଛନ୍ତି।
ଚାହିଦା ତୁଳନାରେ ଯୋଗାଣ କମ୍ ରହିବାରୁ ଦର ବୃଦ୍ଧି ପାଉଛି। ସାଉଦି ଆରବ ଭଳି ରାଷ୍ଟ୍ର ଚତୁରତାର ସହିତ ତେଲ ଉତ୍ପାଦନକୁ କମାଇ ଦେଇଛନ୍ତି। ବଜାରରେ ପର୍ୟ୍ୟାପ୍ତ ପରିମାଣର ତେଲ ଉପଲବ୍ଧ ହେଉନଥିବାରୁ ଦର ବଢ଼ୁଛି । ଅର୍ଥନୈତିକ କଟକଣା ଲାଗୁ ହେବା ପରେ ଇରାନରୁ ଦୈନିକ ୧-୫ ଲକ୍ଷ ବ୍ୟାରେଲର ତେଲ ଯୋଗାଣ କମିଯିବ ବୋଲି ଆଶଙ୍କା କରାଯାଉଛି। ଅଶୋଧିତ ତେଲ ଦରକୁ ନେଇ ବିଭିନ୍ନ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ଗୋଲ୍ଡମ୍ୟାନ୍ ସାଚ୍ ପକ୍ଷରୁ କୁହାଯାଇଛି ଯେ ଦର ୮୩ ଡଲାର ପର୍ଯ୍ୟନ୍ତ ବଢ଼ିବ। ମର୍ଗାନ୍ ଷ୍ଟାନଲି ଆକଳନ କରିଛି ଯେ ୨୦୨୦ ସୁଦ୍ଧା ତେଲ ଦର ଖୁବଶୀଘ୍ର ୯୦ ଡଲାରରେ ପହଞ୍ଚିଯିବ। ବ୍ୟାଙ୍କ୍ ଅଫ୍ ଆମେରିକା ମେରିଲ୍ ଲିଞ୍ଚ୍ ଆକଳନ କରିଛି ଯେ ତେଲ ଦର ଆସନ୍ତା ବର୍ଷ ଭିତରେ ୧୦୦ ଡଲାର ଅତିକ୍ରମ କରିବ। ତେଲ ଦର ୩୦୦ ଡଲାରେ ପହଞ୍ଚିଯିବ ବୋଲି ମଧ୍ୟ ଜଣେ ହେଜ୍ ଫଣ୍ଡ୍ ମ୍ୟାନେଜର ଆକଳନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/3.jpeg)