ଜଗତସିଂହପୁରରେ ଅଧିକାରୀଙ୍କ ବାତ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଚର୍ଚ୍ଚା : କୌଣସି କ୍ଷତି ନହୋଇ ବି ୩୨ କୋଟି ଟଙ୍କାର ଦେଇଥିଲେ ରିପୋର୍ଟ

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ହେଲା ଶୂନ୍

360

କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ‘ୟାସ୍’କୁ ନେଇ ପୂର୍ବରୁ ଯେଭଳି କ୍ଷତି ଆଶଙ୍କା କରାଯାଉଥିଲା, ତାହା‌ ହେଲାନାହିଁ । ଜଗତସିଂହପୁର ଜିଲ୍ଲା ଉପରୁ ଏକ ବଡ଼ ବିପଦ ଟଳିଗଲା । ଏହାକୁ ନେଇ ଜିଲ୍ଲାବାସୀ ବି ବେଶ୍ ଆଶ୍ବସ୍ତ। କିନ୍ତୁ ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରିବାକୁ ଯାଇ ବିଭିନ୍ନ ବ୍ଲକ୍‌ର ଅଧିକାରୀମାନେ ପ୍ରସ୍ତୁତ କରିଥିଲେ ୩୨ କୋଟି ଟଙ୍କାର ରିପୋର୍ଟ । ଜିଲ୍ଲାରେ କ୍ଷୟକ୍ଷତି ସୁଧାରିବା ପାଇଁ ୩୨ କୋଟି ଟଙ୍କାର ଆବଶ୍ୟକତା ଥିବା ଦର୍ଶାଇ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ଦିଆଯାଇଥିଲା । ମାତ୍ର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହାକୁ ନେଇ ବିରକ୍ତି ପ୍ରକାଶ କରିବା ସହିତ ଏହାକୁ ପୁନଃ ଯାଞ୍ଚ କରିଥିଲେ । ଏବଂ ଜିଲ୍ଲାରେ ବାତ୍ୟାରେ କିଛି ବି କ୍ଷୟକ୍ଷତି ହୋଇନଥିବା ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଇଛନ୍ତି । ଏଭଳି ଘଟଣାରେ ଏକ ବଡ଼ଧରଣର ଦୁର୍ନୀତିକୁ ଏଡାଇ ଦିଆଯାଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଜିଲ୍ଲାରେ କେବଳ ପାରାଦୀପକୁ ବାଦ୍ ଦେଲେ ଅନ୍ୟ କେଉଁଠି ବି ଗଛଟିଏ ଉପୁଡ଼ି ଥିବା ନଜରକୁ ଆସିନାହିଁ । ପାରାଦୀପରେ ଉପୁଡ଼ିଥିବା ୧୦ରୁ ଅଧିକ ଗଛକୁ ଓଡ୍ରାଫ୍ ଟିମ୍ କାଟି ତୁରନ୍ତ ରାସ୍ତା ସଫା କରିଥିଲେ । ଫଳରେ ଖୁବ୍‌ଶୀଘ୍ର ଯାତାୟାତ ସ୍ବାଭାବିକ ହୋଇଥିଲା । ମାତ୍ର ଅନ୍ୟ ବ୍ଲକ୍ ଗୁଡ଼ିକରେ ଅମୃତଭଣ୍ଡା ଓ ସଜନା ଗଛଟିଏ ବି ବାତ୍ୟା ଦ୍ବାରା ପ୍ରଭାବିତ ହୋଇନାହିଁ । ଏଣୁ ରାସ୍ତା, ବାସଗୃହ ଓ ସ୍କୁଲ ଗୃହ ଗୁଡ଼ିକ କ୍ଷତି ହୋଇଥିବା ସମ୍ପର୍କରେ ଚିନ୍ତା ବି କରାଯାଇ ନ ପାରେ । ମାତ୍ର ବାତ୍ୟା ପରେ ରାଜ୍ୟ ସରକାର ପ୍ରଭାବିତ ଜିଲ୍ଲା ଗୁଡ଼ିକରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେବାରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକକୁ କ୍ଷୟକ୍ଷତି ରିପୋର୍ଟ ମଗା ଯାଇଥିଲା । ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜରିଆରେ ସମସ୍ତ ବ୍ଲକରୁ ଏକ ରିପୋର୍ଟ ମଗାଯାଇ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କୁ ଦିଆଯାଇଥିଲା । ସେଥିରେ ବାତ୍ୟାରେ ୧୮୮ଟି ଅଙ୍ଗନବାଡ଼ି ଘର, ୪୬୧ ପ୍ରାଥମିକ ବିଦ୍ୟାଳୟ, ୨୪୭ଟି ଗ୍ରାମ ପଞ୍ଚାୟତ ଓ ସର୍ବସାଧାରଣ ଗୃହ ଓ ୧୬୫୫ଟି ରାସ୍ତା ନଷ୍ଟ ହୋଇଥିବା ଉଲ୍ଲେଖ କରାଯାଇଥିଲା ।

ଏହି ରିପୋର୍ଟ ଦେଖି ଜିଲ୍ଲାପାଳ ଆଶ୍ଚର୍ଯ୍ୟ ହେବା ସହ ଏତେ କ୍ଷତି କେମିତି ହେଲା ବୋଲି ଦର୍ଶାଇ ନିଜେ ଏହାର ତର୍ଜମା କରିଥିଲେ। ସେ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହି ରିପୋର୍ଟକୁ ଭଲଭାବେ ଯାଞ୍ଚ କରି ସାନି ରିପୋର୍ଟ ଦେବା ପାଇଁ କହିଥିଲେ। ପରେ ପ୍ରକଳ୍ପ ନିର୍ଦ୍ଦେଶକ ଏ ନେଇ ତୁରନ୍ତ ସମସ୍ତ ବ୍ଲକ୍ ବିଡିଓ ଓ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ଶେଷରେ ରାଜ୍ୟ ସରକାରଙ୍କୁ ଜଗତସିଂହପୁର ଜିଲ୍ଲାରେ କୌଣସି କ୍ଷୟକ୍ଷତି ହୋଇନଥିବା ରିପୋର୍ଟ ପଠାଯାଇଥିବା ଜଣାପଡ଼ିଛି। ମାତ୍ର ପୂର୍ବରୁ ବିଡିଓମାନେ କାହିଁକି ଏମିତି ଏକ ରିପୋର୍ଟ କାହା ସହ ଆଲୋଚନା କରି ପ୍ରସ୍ତୁତ କଲେ, ତାହାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

ଜିଲ୍ଲାପାଳ କହିଛନ୍ତି ଯେ ଜିଲ୍ଲାରେ ବାତ୍ୟାର କୌଣସି ପ୍ରକାର ବିଶେଷ ପ୍ରଭାବ ପଡ଼ିନାହିଁ । ସେ ନିଜେ ପାରାଦୀପ, କୁଜଙ୍ଗ, ବାଲିକୁଦା ଓ ଏରସମା ଗସ୍ତ କରିବା ସହ ସମସ୍ତ ଅଞ୍ଚଳର ତଦାରଖ କରୁଥିଲେ। ଗତବର୍ଷ ହୋଇଥିବା ଅମ୍ଫାନରେ କିଛି ରାସ୍ତା, ସ୍କୁଲ ଘର ଇତ୍ୟାଦି କ୍ଷତିଗ୍ରସ୍ତ ହୋଇଥିଲା । ମାତ୍ର ‘ୟାସ୍’ ଜିଲ୍ଲାରେ କୌଣସି କ୍ଷୟକ୍ଷତି କରି ନାହିଁ। ସରକାରଙ୍କ ଟଙ୍କା ଆତ୍ମସାତ କରିବା ଅଧିକାର କାହାର ବି ନାହିଁ । ଏଣୁ ରାଜ୍ୟ ସରକାରଙ୍କୁ ଜିଲ୍ଲାରେ ଆଦୌ କ୍ଷତି ହୋଇନଥିବା ରିପୋର୍ଟ ଦିଆ ଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।