ଦିଲ୍ଲୀରେ ସିନେମା ଷ୍ଟାଇଲରେ ଲୁଟ୍ । କାନ୍ଥ ଭାଙ୍ଗି ଲୁଟିନେଲେ ୨୫ କୋଟିର ସୁନା

289

କନକ ବ୍ୟୁରୋ : ଦିଲ୍ଲୀର ଏକ ଗହଣା ଦୋକାନରୁ ଚୋରମାନେ ୨୫ କୋଟି ଟଙ୍କାର ଗହଣା ଚୋରି କରିନେଇଛନ୍ତି । ଦିଲ୍ଲୀର ଭୋଗଲ ଅଞ୍ଚଳରେ ଥିବା ଓମରାଓ ଗହଣା ଦୋକାନରୁ ଏଭଳି ବଡଧରଣର ଚୋରି ହୋଇଛି । ଦିଲ୍ଲୀରେ ପୂର୍ବରୁ ହୋଇଥିବା ବଡ ବଡ ଚୋରି ମଧ୍ୟରୁ ଏହା ଅନ୍ୟତମ ।

ଦିଲ୍ଲୀର ଜଙ୍ଗପୁରାରେ ଥିବା ଓମରାଓ ସିଂ ଜ୍ୱେଏଲର୍ସରେ ଗହଣା ନାମରେ ଆଉକିଛି ନାହିଁ । କୁହାଯାଉଛି କି, ଚୋରମାନେ ଗହଣା ଦୋକାନର କାନ୍ଥରେ କଣା କରି ଏଭଳି ଚୋରି କରିଛନ୍ତି । ଚୋରମାନେ ପ୍ରଥମେ ଶୋ ରୁମର ୪ ମହଲା ଛାତର ଚାବି ଭାଙ୍ଗି ଶୋ ରୁମ ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ସେ ଶୋ ରୁମର କାନ୍ଥରେ କଣା କରି ଲକର ପର୍ଯ୍ୟନ୍ତ ପହଂଚିଥିଲେ । ଏହାସହ ଶୋ ରୁମରେ ଲାଗିଥିବା ସିସିଟିଭି କନେକସନ ମଧ୍ୟ କାଟି ଦେଇଥିଲେ ।

ବିଶେଷ ଭାବେ ଷ୍ଟ୍ରଙ୍ଗରୁମର ୩ ପାଖ କାନ୍ଥ ଲୁହାରେ ନିର୍ମାଣ କରାଯାଇଥିବା ବେଳେ ଗୋଟିଏ ପଟ କାନ୍ଥ ଇଟାରେ ନିର୍ମାଣ କରାଯାଇଥିଲା । ଚୋରମାନେ ସେହି ଇଟା କାନ୍ଥ ପଟୁ କଣା କରି ଷ୍ଟ୍ରଙ୍ଗରୁମ ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ ।

ସୂଚନା ମୁତାବକ ରବିବାର ସନ୍ଧ୍ୟାରେ ଦୋକାନ ମାଲିକ ଶୋରୁମ ବନ୍ଦକରି ଘରକୁ ଯାଇଥିଲେ । ସୋମବାର ଦିନ ବଜାର ବନ୍ଦ ଥିବାରୁ ଶୋରୁମ ଖୋଲାଯାଇ ନଥିଲା । ହେଲେ ମଙ୍ଗଳବାର ସକାଳେ ଶୋରୁମ ମାଲିକ ଦୋକାନ ଖୋଲିବା ପରେ ତାଙ୍କର ହୋସ୍ ଉଡିଯାଇଥିଲା । ଷ୍ଟ୍ରଙ୍ଗରୁମ ଭଙ୍ଗାଯାଇଥିବା ଦେଖି ଦୋକାନ ମାଲିକ ପ୍ରଥମେ ପୋଲିସକୁ ଖବର ଦେଇଥିଲେ ।

ଚୋରି ବାବଦରେ ସୂଚନା ପାଇବା ପରେ ଦିଲ୍ଲୀର ନିଜାମୁଦ୍ଧିନ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଶୋ ରୁମର ସିସିଟିଭି କ୍ୟାମେରା ଆଧାରରେ ପୋଲିସ ତଦନ୍ତ ଚଳାଇଥିଲେ ବି ଏପର୍ଯ୍ୟନ୍ତ ଚୋରି ନେଇ କୌଣସି ତଥ୍ୟ ହାସଲ କରିପାରିନାହିଁ ପୋଲିସ ।