୨୦୦୦ ଟଙ୍କିଆ ନୋଟ୍ ଗଲା କୁଆଡେ ? ୨୦୧୯-୨୦ ଆର୍ଥିକ ବର୍ଷରେ ଛପା ହୋଇନାହିଁ ଗୋଟିଏ ହେଲେ ବି ନୂଆ ୨୦୦୦ ଟଙ୍କିଆ ନୋଟ୍ । ରିଜର୍ଭ ବ୍ୟାଙ୍କ ଦେଲା ବଡ଼ ନୋଟ୍ ବାବଦରେ ବଡ ତଥ୍ୟ ।

967

କନକ ବ୍ୟୁରୋ : କୁଆଡେ ଗଲା ୨୦୦୦ ଟଙ୍କିଆ ନୋଟ୍ । ୨୦୧୯-୨୦ ଆର୍ଥିକ ବର୍ଷରେ ଗୋଟିଏ ହେଲେ ବି ନୂଆ ୨୦୦୦ ଟଙ୍କିଆ ନୋଟ୍ ଛାପିନାହିଁ ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ନିଜ ବାର୍ଷିକ ରିପୋର୍ଟରେ କହିଛି ଯେ, ବିଗତ ବର୍ଷ ଗୁଡିକରେ ୨୦୦୦ ଟଙ୍କିଆ ନୋଟର ସର୍କୁଲେସନ ହ୍ରାସ ପାଇଛି ।

୨୦୧୮ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୨୦୦୦ ଟଙ୍କିଆ ନୋଟର ସର୍କୁଲେସନ୍ ୩୩,୬୩୨ ଲକ୍ଷ ଖଣ୍ଡ ଥିଲା, ଯାହା ମାର୍ଚ୍ଚ ମାସ ୨୦୧୯ ବେଳକୁ ୩୨,୯୧୦ ଲକ୍ଷ ଖଣ୍ଡକୁ ହ୍ରାସ ପାଇଛି । ଆଉ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଏହି ସଂଖ୍ୟା ୨୭,୩୯୮ ଲକ୍ଷକୁ ଖସିଆସିଛି ।

ଅନ୍ୟପଟେ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୮ରୁ ତିନି ବର୍ଷ ମଧ୍ୟରେ ୫୦୦ ଏବଂ ୨୦୦ ଟଙ୍କିଆ ନୋଟର ସର୍କୁଲେସନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଉଭୟ ମୂଲ୍ୟ ଏବଂ ପରିମାଣ ଦୃଷ୍ଟିରୁ ୫୦୦ ଏବଂ ୨୦୦ ଟଙ୍କିଆ ନୋଟର ପ୍ରଚାର ପ୍ରସାର ବୃଦ୍ଧି ପାଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ୨୦୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ।

୨୦୧୯-୨୦ରେ ନୋଟ୍ ଯୋଗାଣ ମଧ୍ୟ ପୂର୍ବ ବର୍ଷ ତୁଳନାରେ ୨୩.୩ ପ୍ରତିଶତ କମ୍ ରହିଛି । ଆଉ ଏହାର ମୁଖ୍ୟ କାରଣ ହେଉଛି କରୋନା ମହାମାରୀ ଏବଂ ଏହାର ମୁକାବିଲା ପାଇଁ ଲାଗୁ କରାଯାଇଥିବା ଲକଡାଉନ୍ । ଯେଉଁଥିପାଇଁ ନୋଟ୍ ସର୍କୁଲେସନରେ ହ୍ରାସ ହୋଇଥିବା ନିଜ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।