ବିମାନବନ୍ଦରରେ ବିକ୍ରି ହେଉଥିବା ଖାଦ୍ୟରେ ଯାତ୍ରୀଙ୍କୁ ଲୁଟ୍ ଅଭିଯୋଗ : ସିଙ୍ଗଡ଼ା ଗୋଟାକୁ ୧୫୦ ଦୋଷା ଗୋଟାକୁ ୩୦୦ ଟଙ୍କା

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଲେ କଟକର ସମାଜସେବୀ

2,289

କନକ ବ୍ୟୁରୋ : ବିମାନବନ୍ଦରରେ ବିକ୍ରି ହେଉଥିବା ଖାଦ୍ୟରେ ଯାତ୍ରୀଙ୍କୁ ଲୁଟ୍‌ କରାଯାଉଛି । ସିଙ୍ଗଡ଼ା ଗୋଟାକୁ ୧୫୦ ଟଙ୍କା ଓ ଦୋସା ୩୦୦ ଟଙ୍କାରେ ବିକ୍ରି କରାଯାଉଛି । ଏଭଳି ମାତ୍ରାଧିକ ଦର କାହିଁକି ନିଆଯାଉଛି ବୋଲି କଟକର ସମାଜସେବୀ ଡକ୍ଟର ଅଭୟ ରଂଜନ ପଟ୍ଟନାୟକ ଟୁଇଟ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣାଇଛନ୍ତି ।

ଟୁଇଟ୍‌ରେ ଡକ୍ଟର୍‌ ପଟ୍ଟନାୟକ ଲେଖିଛନ୍ତି ଯେ, ୧୪୦ କୋଟି ଭାରତୀୟଙ୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା ଅଛି, ସେ ହିଁ ଏହି ପ୍ରସଙ୍ଗରେ କିଛି କରିପାରିବେ । ତେଣୁ ପ୍ରଧାନମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବାକୁ ସେ ଅନୁ‌ରୋଧ କରିଛନ୍ତି । ଏ ପ୍ରସଙ୍ଗ‌ରେ ଡକ୍ଟର ପଟ୍ଟନାୟକ କହିଛନ୍ତି ଯେ, ଏକଦା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ହାୱାଇ ଚପଲ ପିନ୍ଧୁଥିବା ଲୋକକୁ ହାୱାଇ ଜାହାଜରେ ଉଡ଼ି ପାରିବା ଭଳି ବ୍ୟବସ୍ଥା କରାଇବେ । ହେଲେ, ଯେଉଁ ବିମାନବନ୍ଦରରେ ସିଙ୍ଗଡ଼ା ଗୋଟା ୧୫୦ ଟଙ୍କା ଓ ଦୋସା ଗୋଟା ୩୦୦ ଟଙ୍କାରେ ମିଳୁଥିବ ‌ସେଠାରେ ହାୱାଇ ଚପଲ ପିନ୍ଧୁଥିବା ସାଧାରଣ ଲୋକ କେମିତି ଖର୍ଚ୍ଚ ଦେଇ ଯାଇପାରିବ ? ପ୍ରଧାନମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିବା କହିଛନ୍ତି ।