ତାମିଲନାଡୁ ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀଙ୍କ ଅଜବ ପ୍ରତିଶୃତି । ପ୍ରତି ପରିବାରକୁ ୧ କୋଟି ଟଙ୍କା, ତିନିମହଲା କୋଠା, ଚନ୍ଦ୍ର ଭ୍ରମଣ

356

କନକ ବ୍ୟୁରୋ : ଏବେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଲୋକମାନେ ଏବେ ଭୋଟର ମାନଙ୍କୁ ପ୍ରତିଶୃତିରେ ପୋତି ପକାଉଛନ୍ତି । କିଏ ଜିତିଲେ ଚାକିରୀର ଗ୍ୟାରେଣ୍ଟି ଦେଉଛି ତ କିଏ କଳ କାରଖାନା ନିର୍ମାଣର ପ୍ରତିଶୃତି । କିଏ ଭତ୍ତା ବୃଦ୍ଧି କରିବାକୁ କହୁଛି ତ କିଏ ସୁଶାସନ ଦେବାକୁ ପ୍ରତିଶୃତି ଦେଉଛି । ହେଲେ ତାମିଲନାଡୁର ଜଣେ ସ୍ୱାଧୀନ ପ୍ରାର୍ଥୀ ଲୋକମାନଙ୍କୁ ଯେଉଁ ପ୍ରତିଶୃତିମାନ ଦେଇଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କହିରଖୁ କି ତାମିଲନାଡୁର ମଦୁରାଇ ବିଧାନସଭା ଆସନରୁ ନିର୍ଦ୍ଦଳୀୟ ଭାବେ ପ୍ରାର୍ଥୀ ହୋଇଥିବା ଥୁଲମ୍ ସରବନନ ଲୋକମାନଙ୍କୁ ପ୍ରତିଶୃତିରେ ପୋତି ପକାଇଛନ୍ତି । ସେ କହିଛନ୍ତି କି ସେ ଯଦି ନିର୍ବାଚନ ଜିତିବେ ତେବେ ପ୍ରତି ପରିବାରକୁ ଗୋଟିଏ ହେଲିକପ୍ଟର, କୋଟିଏ ଟଙ୍କାର ଫିକ୍ସଡ୍ ଡିପୋଜିଟ, ବାହାଘରରେ ସୁନା, ପ୍ରତି ପରିବାରକୁ ୩ ମହଲା କୋଠା, ଗରମରୁ ରକ୍ଷା ପାଇବାକୁ ୩୦୦ ଫୁଟର ବରଫ ପାହାଡ ଦେବେ । କେବଳ ଏତିକି ନୁହେଁ ସେ କହିଛନ୍ତି କି “ମୁଁ ଜଦି ନିର୍ବାଚନ ଜିତିବି ତେବେ ପ୍ରତି ଭୋଟଙ୍କୁ ଚନ୍ଦ୍ର ଭ୍ରମଣ କରାଇବି” । ମହିଳା ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ନିର୍ବାଚନ ଜିତିଲେ ପ୍ରତି ଗୃହିଣୀଙ୍କୁ ଘରକାମରେ ସହାୟତା କରିବାକୁ ଗୋଟିଏ ଗୋଟିଏ ରୋବଟ୍ ଦେବାକୁ ବି କହିଛନ୍ତି ।

ଏତେସବୁ ପ୍ରତିଶୃତି ଦେଇଥିବା ସ୍ୱାଧୀନ ପ୍ରାର୍ଥୀ ସରବନନ ୨୦ ହଜାର ଟଙ୍କା ଋଣ କରି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ହେଲେ ସେ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଏଭଳି ପ୍ରତିଶୃତି ଦେବାର ଅର୍ଥ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନ ମଇଦାନକୁ ଅଣାଯାଉଥିବା ପ୍ରାର୍ଥୀ ମାନଙ୍କୁ ଜାଗୃତ କରିବା । ‘ମୁଁ ଚାହୁଁଛି କି ରାଜନୈତିକ ଦଳ ମାନେ ଭଲ ପ୍ରାର୍ଥୀ ଚୟନ କରନ୍ତୁ, ଏହାସହ ନେତାମାନଙ୍କ ମନରେ ବଡ ବଡ ପ୍ରତିଶୃତି ଉଜାଗର କରିବାକୁ ମୁଁ ଏଭଳି ପ୍ରତିଶୃତି ଦେଇଛି’ ।