କନକ ବ୍ୟୁରୋ : ଖାଲି ପାଦରେ ନଜର ଆସିଲେ ‘ଆରଆରଆର୍’ ଅଭିନେତା ରାମ ଚରଣ। ଓସ୍କାର ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାମ ଚରଣ ଆମେରିକାକୁ ଉଡ଼ାଣ କରିଛନ୍ତି। ଏହି ସମୟରେ ସେ ବିମାନବନ୍ଦରରେ ଖାଲି ପାଦରେ ନଜର ଆସିଥିଲେ। କଳା ରଙ୍ଗର ପୋଷାକ ପିନ୍ଧିଥିବା ରାମ ଚରଣ ପାଦରେ କିଛି ପିନ୍ଧିନଥିଲେ। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।

Advertisment

କୁହାଯାଉଛି ଯେ ଅଭିନେତା ପ୍ରତିବର୍ଷ ଆୟାପ୍ପା ଦୀକ୍ଷା ନିଅନ୍ତି। କେରଳର ସାବରିମାଳା ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଏହାକୁ ପାଳନ କରିବାକୁ ପଡେ। ଭକ୍ତମାନଙ୍କୁ ୪୮ଦିନ ଏହି ରୀତିନୀତି ପାଳନ କରିବାକୁ ପଡିଥାଏ ଏବଂ ଏହାକୁ ବେଶ ନିଷ୍ଠାର ସହ ପାଳନ କରିଥାନ୍ତି ରାମଚରଣ । ଯେଉଁଥିପାଇଁ ଏବେ ଖାଲି ପାଦରେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି ରାମଚରଣ । । ରାମ ଚରଣ ପ୍ରତିବର୍ଷ ଏହି ରୀତିନୀତି ପାଳନ କରନ୍ତି।

ତେବେ ଗତ ମାସରେ ଏସ୍‌. ଏସ୍‌. ରାଜାମୌଲୀଙ୍କ ‘ଆରଆରଆର୍’ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ହଲିଉଡର ‌ଅନ୍ୟତମ ସମ୍ମାନଜନକ ପୁରସ୍କାର ‘ଗୋଲଡେନ୍‌ ଗ୍ଲୋବ୍‌ସ୍‌’ ଜିତିଲା। ‘ଗୋଲଡେନ୍‌ ଗ୍ଲୋବ୍‌ସ୍‌’ ପରେ ଓସ୍କାର ୨୦୨୩ରେ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ‘ଆରଆରଆର’ର ‘ନାଟୁ ନାଟୁ’ ଗୀତକୁ ମନୋନୀତ କରାଯାଇଛି। ଏହି ପୁରସ୍କାର ଆମେରିକାରେ ମାର୍ଚ୍ଚ ୧୨ରେ ଅନୁଷ୍ଠିତ ହେବାକୁ ଯାଉଛି।
ଶେଷଥର ପାଇଁ ୨୦୦୯ରେ ଓସ୍କାର ଜିତିଥିଲା ଏ. ଆର ରେହମାନଙ୍କ ଗୀତ । ସ୍ଲମଡଗ ମିଲେନିୟର ଫିଲ୍ମର ଜୟ ହୋ ଗୀତ ଓସ୍କାର ଜିତିଥିଲା । ତେଣୁ ପୁଣିଥରେ ନାଟୁ ନାଟୁ ଓସ୍କାର ଜିତୁ ସବୁ ଭାରତୀୟ ଏହା ଚାହୁଁଛନ୍ତି ।