ଇମ୍ରାନ ଖାନଙ୍କ ଉପରେ ଗିରଫଦାରୀ ସଙ୍କଟ! ଯେକୌଣସି ମୂହୁର୍ତ୍ତରେ ହୋଇପାରନ୍ତି ଗିରଫ ।

127

କନକ ବ୍ୟୁରୋ: ପାକିସ୍ତାନରେ ରାଜନୈତିକ ସଙ୍କଟ ପୁଣି ସରଗରମ ହୋଇଛି । ରବିବାର ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ବାସଭବନରେ ପହଞ୍ଚିଥିଲା ଇସଲାମାବାଦ ପୁଲିସ । ହେଲେ ଇମ୍ରାନ ଘରେ ନଥିବାରୁ ପୁଲିସ ବାହାରେ ଅପେକ୍ଷା କରିଥିଲା । ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟିର କର୍ମୀଙ୍କ ବିରୋଧ ଭିତରେ ଖାଲି ହାତରେ ପୁଲିସ ଫେରିଆସିଥିଲା । ଗିରଫ ଭୟରେ ଘରୁ ଫେରାର ହୋଇଥିବା ଇମ୍ରାନ କିଛି ସମୟ ପରେ ସମସ୍ତଙ୍କ ସାମ୍ନାକୁ ଆସିଛନ୍ତି । ଲାହୋରର ଜମାନା ପାର୍କରୁ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଶେହବାଜ ସରକାରଙ୍କ ଉପରେ ବର୍ଷିଛନ୍ତି । ଆଉ ତାଙ୍କୁ ଗିରଫ କରିବା ପାଇଁ ପାର୍କ ବାହାରେ ଇସଲାମାବାଦ ପୁଲିସ ଅପେକ୍ଷା କରିଛି ।

ଇମ୍ରାନ ଖାନକୁ ତୋଷାଖାନ ଦୁର୍ନୀତି ମାମାଲରେ ଗିରଫ କରିବା ପାଇଁ ଇସଲାମାବାଦ ସେସନ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଇମ୍ରାନ ପାକିସ୍ତାନ ସରକାରଙ୍କୁ ଦୋଷ ଦେଇ ତାଙ୍କୁ ଫସାଇ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି । ଆଉ କହିଛନ୍ତି, ପାକିସ୍ତାନ ଗୁଏନ୍ଦା ସଂସ୍ଥା ଆଇଏସଆଇ ଓ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଚାହୁଁଛନ୍ତି । ଏଥିସହ ତୋଷଖାନା ମାମଲାର ଶୁଣାଣିକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି । ସେପଟେ ପିଟିଆଇ ନେତା ଫୱାଦ ଚୌଧୁରୀ କହିଛନ୍ତି, ମହଙ୍ଗା ଦର ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଶେହବାଜ ସରକାର ଇମ୍ରାନଙ୍କୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ।

ପାକିସ୍ତାନ ରାଜନୀତିର ପାରା ରବିବାର ହଠାତ ଚଢିଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ତୋଷାଖାନା ଦୁର୍ନୀତି ମାମଲାରେ ସମନ ସତ୍ତେ୍ୱ ହାଜର ନହେବାରୁ ଫେବ୍ରୁଆରୀ ୨୮ରେ ଇମ୍ରାନଙ୍କୁ ଗିରଫ ନିର୍ଦ୍ଦେଶ ଦେଇଥିଲେ ସେସେନ୍ କୋର୍ଟ । ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଦେଶରୁ ମିଳିଥିବା ଉପହାରକୁ ବିକ୍ରି କରି ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଆଉ ଯେକୌଣସି ମୂହୁର୍ତ୍ତରେ ତାଙ୍କୁ ଇସଲାମାବାଦ ପୁଲିସ ଗିରଫ କରିବା ସମ୍ଭାବନା ରହିଛି ।