କଡା ମୁକାବିଲା ଭିତରେ ରାଜସ୍ଥାନ ରୟାଲସକୁ ୪ରନରେ ହରାଇଲା ପଞ୍ଜାବ କିଙ୍ଗସ : ଶେଷ ବଲରେ ନିର୍ଣ୍ଣୟ ହେଲା ମ୍ୟାଚର ଫଳାଫଳ

ଆଇପିଏଲ ୨୦୨୧ର ପ୍ରଥମ ଶତକ ହାସଲ କଲେ ରାଜସ୍ଥାନ ରୟାଲସର ଅଧିନାୟକ ସଂଜୁ ସାମସନ

134

କନକ ବ୍ୟୁରୋ : କଡ଼ା ମୁକାବିଲା ମଧ୍ୟରେ ୪ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି ପଂଜାବ କିଙ୍ଗସ । ମୁମ୍ବାଇରେ ଖେଳାଯାଉଥିବା ଆଇପିଏଲର ଚତୁର୍ଥ ମ୍ୟାଚ୍ ଶେଷ ବଲ ପର୍ଯ୍ୟନ୍ତ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଶେଷ ବଲରେ ୫ ରନ୍ ବାକି ଥିବା ବେଳେ ଅଧିନାୟକ ସଂଜୁ ସାମସନ୍ ଛକା ମାରିବାକୁ ଯାଇ କ୍ୟାଚ୍ ଟେକି ଦେଇଥିଲେ । ହେଲେ ଆଇପିଏଲର ଚଳିତ ସଂସ୍କରଣରେ ରାଜସ୍ଥାନ ରୟାଲସର ଅଧିନାୟକ ସଂଜୁ ସାମସନଙ୍କୁ ମିଳିଛି ପ୍ରଥମ ଶତକ ହାସଲ କରିବାର ଗୌରବ ।

ନବନାମିତ ପଞ୍ଜାବ କିଙ୍ଗସର ୨୨୧ ରନ୍‌କୁ ପଶ୍ଚାତଧାବନ କରି ବେନ୍‌ ଷ୍ଟୋକ୍ସ ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ପରେ ମନନ ଭୋରା ନିରାଶ କରିଥିଲେ। ଜୋସ୍ ବଟ୍ଟଲର୍, ଶିଭମ ଦୁବେ, ରିୟାନ ପରାଗ ଛୋଟ ଛୋଟ ବିସ୍ଫୋରକ ପାଳି ଖେଳିଥିଲେ। ଅଧିନାୟକତ୍ବ ପଦାର୍ପଣରେ ଶତକ ହାସଲ କରିବାରେ ସଞ୍ଜୁ ସାମସନ୍ ପ୍ରଥମ ଖେଳାଳି ହୋଇଥିଲେ। ଏହା କିନ୍ତୁ ଥିଲା ତାଙ୍କ ତୃତୀୟ ଆଇପିଏଲ୍‌ ଶତକ। ଝାଏ ରିଚାର୍ଡସନଙ୍କୁ ଲଗାତାର ଭାବେ ୪,୬,୪ ମାରି ମାତ୍ର ୫୪ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ। ଏହି ଶତକ ଅବଶ୍ୟ ଯଥେଷ୍ଟ ହୋଇନଥିଲା। ସଞ୍ଜୁ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ମ୍ୟାଚ୍‌ରେ କେଏଲ୍ ରାହୁଲ (୯୧, ୫୦ ବଲ୍, ୭ ଚୌକା, ୫ ଛକା), ଦୀପକ ହୁଦା (୬୪, ୨୮ ବଲ୍‌, ୪‌ ଚୌକା, ୬ ଛକା) ଏବଂ କ୍ରିସ୍‌ ଗେଲ୍ (୪୦, ୨୮ ବଲ୍‌, ୪ ଚୌକା, ୨ ଛକା)ଙ୍କ ବଳରେ ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୨୨୧ ରନ୍‌ କରି ନେଇଥିଲା। ମୟଙ୍କ ଅଗ୍ରୱାଲ୍ (୧୪, ୯ ବଲ୍)ଙ୍କୁ ଶସ୍ତାରେ ହରାଇବା ପରେ ରାହୁଲ ଓ ହୁଦା ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ର ଚତୁଃର୍ଦିଗକୁ ଚୌକା ଓ ଛକା ବର୍ଷା କରିଥିଲେ।

ଅଧିନାୟକ ରାହୁଲଙ୍କ ଅପେକ୍ଷା ହୁଦା ଅଧିକ ଭୟଙ୍କର ବ୍ୟାଟିଂ କରି ମାତ୍ର ୨୦ ବଲ୍‌ରୁ ୫୦ ରନ୍‌ ଅତିକ୍ରମ କରିଥିଲେ। ରାହୁଲଙ୍କୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବାକୁ ୩୦ ବଲ୍‌ ଖେଳିବାକୁ ପଡ଼ିଥିଲା । ଉଭୟ ତୃତୀୟ ୱିକେଟ୍ ପାଇଁ ମାତ୍ର ୭.୪ ଓଭରରେ ୧୦୫ ରନ୍‌ର ଜବରଦସ୍ତ ଭାଗୀଦାରି କରିଥିଲେ । ରାଜସ୍ଥାନ ପକ୍ଷରୁ ପଦାର୍ପଣ ମ୍ୟାଚ୍‌ ଖେଳିଥିବା ୨୩ ବର୍ଷୀୟ ବାମହାତୀ ଦ୍ରୁତ ବୋଲର୍‌ ଚେତନ ସାକାରିଆ ବେଶ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ସେ ୪ ଓଭରରେ ୩୧ ରନ୍‌‌ ନେଇ ୩ ୱିକେଟ୍ ନେଇଥିଲେ। କେଏଲ୍ ରାହୁଲଙ୍କୁ ଶତକରୁ ରୋକିବା ସହ ମୟଙ୍କ ଅଗ୍ରୱାଲଙ୍କ ସହ ଝାଏ ରିଚାର୍ଡସନ୍‌ଙ୍କୁ ମଧ୍ୟ ଆଉଟ୍ କରି ପଦାର୍ପଣକୁ ସ୍ମରଣୀୟ ରଖିଥିଲେ ସାକାରିଆ ।