ଆଇପିଏଲରେ ଆଜି କେକେଆରକୁ ମାତ୍ ଦେଲା ରାଜସ୍ଥାନ । ୧୩୪ ରନର ବିଜୟ ଲକ୍ଷ୍ୟ ହାସଲ କଲା ସାମସନ ବାହିନୀ । ଟୁର୍ଣ୍ଣାମେଣ୍ଟରେ ରୟାଲ୍ସର ଦ୍ୱିତୀୟ ବିଜୟ ।

86

କନକ ବ୍ୟୁରୋ: ଆଜି ଏକ ଲୋ ସ୍କୋରିଂ ମ୍ୟାଚରେ ଶକ୍ତିଶାଳୀ କେକେଆରକୁ ମାତ୍ ଦେଇଛି ରାଜସ୍ଥାନ ରୟାଲ୍ସ । ଦଳ କୋଲକାତାକୁ ୬ ୱିକେଟରେ ପରାସ୍ତ କରି ପଏଣ୍ଟ ଟେବୁଲର ଉପରକୁ ଉଠିଛି । କୋଲକାତା ଆଜି ବିଜୟ ପାଇଁ ରାଜସ୍ଥାନ ଆଗରେ ୧୩୪ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଯାହାକୁ ଦଳ ମାତ୍ର ୪ଟି ୱିକେଟ ହରାଇ ହାତେଇ ନେଇଛି ।

ଆଜି ଟସ୍ ଜିତି ରାଜସ୍ଥାନ ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଯାହାପରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା କୋଲକାତା । ଦଳର ଦୁଇ ଓପନ ଆଜି ଧିମା ଆରମ୍ଭ କରିଥିଲେ । ହେଲେ ଏହାପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କେକେଆର୍ । ଦଳ ୯୫ ରନରେ ନିଜର ୫ଟି ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । ହେଲେ କାର୍ତ୍ତିକଙ୍କ କିଛି ଚମକ୍ରାର ସଟ୍ ବଳରେ ଦଳ ୨୦ ଓଭରରେ ୧୩୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ରାଜସ୍ଥାନ ପକ୍ଷରୁ କ୍ରିସ୍ ମୋରିସ ୪ଟି ସଫଳତା ପାଇଥିବାବେଳେ ଉନାଦକତ, ସକାରିଆ ଓ ମୁସ୍ତାଫିଜୁର ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ଏହାପରେ ୧୩୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । ଯାହାକୁ ଦଳ ହାସଲ କରିନେବା ସହିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟର ସ୍ୱାଦ ଚାଖିଛି । ଦଳ ପକ୍ଷରୁ ଆରମ୍ଭରୁ ଯଶ୍ୱସୀ ଯୟଶୱାଲ କିଛି ଆକର୍ଷଣୀୟ ସଟ୍ ଖେଳିଥିଲେ । ଏହାପରେ ଅଧିନାୟକ ସଂଜୁ ସାମସନ ଙ୍କ ଇଂନିସ ବଳରେ ଦଳ ବିଜୟୀ ହୋଇଛି ।