ମୃତ୍ୟୁର ପଞ୍ଝାରୁ ଜୀବନ ଟାଣି ଆଣିଲେ ଯବାନ । ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଖସି ପଡୁଥିଲେ ମହିଳା, ଜୀବନ ବଞ୍ଚାଇଦେଲେ ଯବାନ । 

126

କନକ ବ୍ୟୁରୋ : ଆରପିଏଫ ଯବାନଙ୍କ ସାହସିକତା ଓ ଉପସ୍ଥିତ ବୁଦ୍ଧିରୁ ବଞ୍ଚିଯାଇଛି ଜୀବନ । ଆଉ ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି ଦୁଇ ଜଣ ମହିଳା । ଭୁବନେଶ୍ୱର ରେଳଷ୍ଟେସନରେ ଆଜି ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ଯାହା ସିସିଟିଭିରେ କଏଦ ହୋଇଛି ।  ଟ୍ରେନ ଷ୍ଟେସନରେ ପହଁଚିବା ପୂର୍ବରୁ ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଉଦ୍ୟମ କରୁଥିବାବେଳେ ଖସିପଡିଥିଲେ ଦୁଇ ମହିଳା । ଆଉ ସେଠାରେ ଉପସ୍ଥିତ ଥିବା ଆରପିଏଫ ଯବାନ ଜଣଙ୍କ ଦୁଇ ମହିଳାଙ୍କୁ ଟାଣି ଆଣିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତି ଯାଇଛନ୍ତି ଦୁଇ ଜଣ ମହିଳା ।

ସମୟ ଦିନ ୧୦ଟା ୧୦ । ସ୍ଥାନ-ଭୁବନେଶ୍ୱର ରେଳଷ୍ଟେସନ । ପ୍ଲାଟଫର୍ମ ନଂ-୩ । ପଲାସା-କଟକ ପାସେଞ୍ଜର ଟ୍ରେନ ଭୁବନେଶ୍ୱରରୁ କଟକ ଅଭିମୁଖେ ଛାଡିଥାଏ । ଇଛାପୁରମରୁ ଏହି ଟ୍ରେନରେ ଆସିଥିବା ପରିବାରର ଦୁଇଜଣ ମହିଳା ଟ୍ରେନ ଭିତରେ ଥାନ୍ତି । ଆଉ ଚଳନ୍ତା ଟ୍ରେନରୁ ଓହ୍ଲାଇବାବେଳେ ହଠାତ ଅଘଟଣ ଘଟିଲା । ଟ୍ରେନ ଚାଲୁଥିବାବେଳେ ମହିଳା ଦୁଇଜଣ ଓହ୍ଲାଇବାକୁ ଉଦ୍ୟମ ବେଳେ , ପ୍ଲାଟଫର୍ମ ଓ ଟ୍ରେନ ମଝିରେ ଫସିଯାଇଥିଲେ । ଆଉ ଏହି ସମୟରେ ପ୍ଲାଟଫର୍ମରେ ଡ୍ୟୁଟି କରୁଥିବା ଆରପିଏଫର ହେଡ କନଷ୍ଟେବଳ ଏସ. ମୁଣ୍ଡା ଦେବଦୂତ ସାଜି ପହଂଚିଯାଇଥିଲେ । ଆଉ କିଏ କିଛି ବୁଝିବା ଆଗରୁ ନିଜ ଜୀବନକୁ ବାଜିରେ ଲଗାଇ ଫସିଯାଇଥିବା ୨ ମହିଳାଙ୍କୁ ମରଣମୁହଁରୁ ଟାଣିଆଣିଥିଲେ । ନିଜର ଉପସ୍ଥିତ ବୁଦ୍ଧି ଓ ସାହସ ପାଇଁ ନିଜେ ଆହତ ହେଲେ ସତ ହେଲେ ୨ ଜଣଙ୍କୁ ବଂଚାଇ ନିଜେ ପାଲଟିଗଲେ ହିରୋ ।

ଏହି ସାହାସୀ ଯବାନଙ୍କ ଭିଡିଓକୁ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ଏହି ଯବାନ ଜଣକ ନିଜ ଚାକିରୀ କାଳ ଭିତରେ ଏହିଭଳି ଦୁଃସାହସିକ କାର୍ଯ୍ୟକରି ଅନେକ ପ୍ରଂଶସା ସାଉଁଟିଛନ୍ତି । ନିଜ ଜୀବନକୁ ବାଜିରେ ଲଗାଇ ପାଖପାଖି ୫ଟି ଘଟଣାରେ ୭ରୁ ଅଧିକ ଜୀବନ ବଂଚାଇପାରିଛନ୍ତି ରିଅଲ ଲାଇଫର ଏହି ହିରୋ । ପ୍ଲାଟଫର୍ମ ଓ ରେଳଗାଡିର ସୁରକ୍ଷା ପାଇଁ ରହିଛି ରେଳ ସୁରକ୍ଷା ବଳ । ଆଉ ନିଜ ଡ୍ୟୁଟି ଭିତରେ ମାନବିକତା ଦେଖାଇ ଜୀବନ ବଂଚାଇଥିବା ଏହି ଖାକିପିନ୍ଧା ହିରୋ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି ।