ଗୋଟିଏ ହାତରେ ରାଇଫଲ୍ , ଆର ହାତରେ କ୍ଷୀର ପ୍ୟାକେଟ୍ ! ଭୋପାଲ୍ ଷ୍ଟେସନର ଶ୍ରମିକ ଟ୍ରେନରେ ବସିଥିବା ୩ ମାସର ଭୋକିଲା ଛୁଆ ପାଇଁ ଆରପିଏଫ୍ ଯବାନ ପାଲଟିଗଲେ ସୁପରମ୍ୟାନ୍ ।

711

ଲକଡ଼ାଉନ୍ ସମୟରେ କେଉଁଠି କରୋନା ଯୋଦ୍ଧା ହୋଇ ତ ଆଉ କେଉଁଠି ପୋଷାକର ପାୱାର ଦେଖାଇଥିବା ପୁଲିସ କର୍ମଚାରୀଙ୍କ ଅନେକ ଭିଡିଓ ସାମ୍ନାକୁ ଆସିଛି । କିନ୍ତୁ ଭୋପାଲ୍ ଷ୍ଟେସନର ସିସିଟିଭି କ୍ୟାମେରାରେ ଯାହା କଏଦ୍ ହୋଇଥିଲା ତାହା ବର୍ତ୍ତମାନ ପୁଲିସବାବୁଙ୍କ ମାନବିକତାକୁ ସଲାମ୍ କରୁଛି । ଘଟଣାଟି କିଛି ଏଭଳି , ବେଲଗାଓଁରୁ ଗୋରଖପୁର ଯାଉଥିବା ମହିଳା ସ୍ପେଶାଲ୍ ଟ୍ରେନରେ ଜଣେ ମା’ ତାଙ୍କ ୩ ମାସର ଝିଅକୁ ଧରି ଯାତ୍ରା କରୁଥିଲେ । ବଡ଼ ବିଡ଼ମ୍ବନାର କଥା କୁନି ଝିଅଟିକୁ ଖୁଆଇବା ପାଇଁ ମା’ଙ୍କ ପାଖରେ କ୍ଷୀର ନଥିବାରୁ ସେ ବିସ୍କୁଟ ଏବଂ ପାଣି ମିଶାଇ ଖୁଆଉଥିଲେ । କ୍ଷୀରଢୋକକର ଛୁଆ ପାଟିରେ ବିସ୍କୁଟ୍ ଦେଲେ ସେ ବା କ’ଣ ଖାଇବ! ଭୋକରେ ଆଉଟୁପାଉଟୁ ହୋଇ ଛୁଆଟି ରାହା ଧରି କାନ୍ଦୁଥିଲା । ଟ୍ରେନ୍ ଭୋପାଲ୍ ପହଁଚିବା ପରେ ମା’ ସାଫିୟା କାନ୍ଦି କାନ୍ଦି ଷ୍ଟେସନର ଷ୍ଟଲମାନଙ୍କରେ କ୍ଷୀର ଖୋଜିଥିଲେ କିନ୍ତୁ ତାଙ୍କୁ କ୍ଷୀର ମିଳିନଥିଲା । ସେଠାରେ ପ୍ରହରା ଦେଉଥିବା ଆରପିଏଫ୍ ଯବାନ ଇନ୍ଦର ଦୁଃଖୀନି ମା’କୁ ଦେଖି ବୁଝିଯାଇଥିଲେ ଯେ ତାଙ୍କ ଛୁଆକୁ କ୍ଷୀରର କେତେ ଆବଶ୍ୟକ ରହିଛି । ସେ ବିଳମ୍ବ ନକରି ଷ୍ଟେସନ ବାହାରକୁ ଦୌଡିଥିଲେ କିନ୍ତୁ ଫେରିବା ବେଳକୁ ପ୍ଲାଟଫର୍ମରୁ ଟ୍ରେନ୍ ଛାଡିଦେଇଥିଲା । ଗୋଟିଏ ହାତରେ ରାଇଫଲ୍ ଆର ହାତରେ କ୍ଷୀରପ୍ୟାକେଟ୍ ଧରି ଯବାନ ଦୌଡିଥିଲେ ମହିଳା ବସିଥିବା କୋଚ୍ ପାଖକୁ । ଚଳନ୍ତା ଟ୍ରେନରେ ବାହାରୁ ସେ ମହିଳାଙ୍କୁ କ୍ଷୀର ପ୍ୟାକେଟ୍ ବଢାଇଥିଲେ ।

ଆଉ ତା’ ପରେ କ’ଣ ଆରପିଏଫ୍ ଯବାନ ଜଣେ ମା’ ପାଇଁ ପାଲଟିଗଲେ ଭଗବାନ । ଭୋକିଲା ଛୁଆ ପେଟକୁ ଦାନା ଯୋଗାଇଲେ ଆରପିଏଫ୍ ଯବାନ ଇନ୍ଦର । ଘରେ ପହଁଚି ଭିଡ଼ିଓ ଜରିଆରେ ଯବାନଙ୍କୁ ଧନ୍ୟବାଦ ଜଣାଇଲେ ମା’ ସାଫିୟା । ଭିଡିଓରେ ସେ କହିଛନ୍ତି , “ ଆମେ ଏବେ ବହରାଇଚରେ ରହୁଛୁ , ଆମର ଯାତ୍ରା ବେଲଗାଓଁରୁ ଆରମ୍ଭ ହୋଇଥିଲା । ଯାତ୍ରା ସମୟରେ ମୋତେ କେଉଁଠାରେ ବି ମୋ ଝିଅକୁ ଖୁଆଇବା ପାଇଁ କ୍ଷୀର ମିଳିନଥିଲା । ଭୋପାଲରେ ଇନ୍ଦର ଯାଦବ ନାମକ ଜଣେ ଯବାନ ମୋତେ ସାହାଯ୍ୟ କରିଥିଲେ । ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ।” ଯେଉଁ ସନ୍ଦେଶ ସେ ଯବାନଙ୍କ ପାଇଁ ଲେଖିଥିଲେ ସେ ତାଙ୍କୁ ରିୟଲ୍ ହିରୋ ବୋଲି କହିଥିଲେ ।