ସୁନା ଛାଉଣୀ ଥାଳିରେ ଖାଇବେ ଟ୍ରମ୍ପ ଓ ପତ୍ନୀ ମେଲାନିଆ । ସୁରକ୍ଷା ବ୍ୟବସ୍ଥାକୁ କରାଗଲା କଡାକଡି, ହେଲିକପ୍ଟରରେ ଚାଲିଛି ପାଟ୍ରୋଲିଂ ।

616

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତରେ କିଛି ଉଣା କରିବାକୁ ଚାହୁଁନାହିଁ ଭାରତ । ଏପରିକି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ସୁନା ଥାଳି । ରାଜସ୍ଥାନ ଜୟପୁରରେ ସୁନା ଓ ରୁପା ଆସ୍ତରଣ ଦିଆଯାଇ ପ୍ରସ୍ତୁତ ହୋଇଛି ଏହି ସ୍ୱତନ୍ତ୍ର ବାସନକୁସନ । ସେପଟେ ଅହମଦାବାଦ, ଆଗ୍ରା ଓ ଦିଲ୍ଲୀ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାରି ଭିତରେ ଦିଲ୍ଲୀର ସରକାରୀ ସ୍କୁଲକୁ ମେଲାନିଆ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେବା ନେଇ ରାଜନୀତି ଜୋର ଧରିଛି ।

ସୁନା ଥାଳିରେ ଖାଦ୍ୟ ଗ୍ରହଣ କରିବେ ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତ ହୋଇଛି ଏହି ସ୍ୱତନ୍ତ୍ର ବାସନକୁସନ । ସୁନା ଓ ରୂପାର ପରସ୍ତ ଲାଗିଥିବା ଏହି ବାସନକୁ ସ୍ୱତନ୍ତ୍ର ଭାବେ ଟ୍ରମ୍ପ ପାଇଁ ପ୍ରସ୍ତୁତି କରାଯାଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପାଇଁ ସ୍ୱତନ୍ତ୍ର ଡିଜାଇନର ଥାଳି, ଗିପା, ଚାମଚ ଓ ଗ୍ଲାସ ପ୍ରସ୍ତୁତ କରିଛନ୍ତି ରାଜସ୍ଥାନ ଜୟପୁରର ଅରୁଣ ପାବୁୱାଲ । ସୁନା ଓ ରୁପାର ଆସ୍ତରଣ ଲାଗିଥିବା ଏହି ବାସନରେ ସୁନ୍ଦର କାରିଗରି ନିର୍ମାଣ କରାଯାଇଛି । ଯାହା ଏହାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ।

ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ସଜେଇ ହେଉଛି ଅହମଦାବାଦ । ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ୨୨କିଲୋମିଟର ରାସ୍ତାରେ ଟ୍ରମ୍ପ ଓ ମୋଦିଙ୍କ ରୋଡ ସୋ’ର କାର୍ଯ୍ୟକ୍ରମ ରହିଛି । ଏହି ରୋଡ ସୋ’ ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିବ । ଏହାରି ଭିତରେ ସାବରମତି ଆଶ୍ରମ ବୁଲି ଦେଖିବେ ଟ୍ରମ୍ପ ଦମ୍ପତି । ଏହାପରେ ମୋଟେରା ଷ୍ଟାଡିୟମ ଉଦଘାଟନ କରିବା ସହ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବେ ଟ୍ରମ୍ପ । ଏହି ସମୟ ମଧ୍ୟରେ ସଙ୍ଗୀତ ପରିବେଷଣ କରିବେ ଲୋକପ୍ରିୟ ଗାୟକ କୈଳାସ ଖେର । ଲକ୍ଷେରୁ ଅଧିକ ଲୋକ ସାମିଲ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଶେଷ ପର୍ଯ୍ୟାୟରେ ପହଂଚିଛି ପ୍ରସ୍ତୁତି । ହେଲିକପ୍ଟର ଜରିଆରେ ଆକାଶମାର୍ଗରୁ ସୁରକ୍ଷା ବ୍ୟବସ୍ଥା ଉପରେ ଟିକିନିକି ନଜର ରଖିଛି ପୁଲିସ । ଟ୍ରମ୍ପଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାରେ ମୋଦି ଓ ଟ୍ରମ୍ପଙ୍କ ବଡ ବଡ ପୋଷ୍ଟର ଲଗାଯାଇଛି ।

ଅହମଦାବାଦରେ କାର୍ଯ୍ୟକ୍ରମ ଶେଷ କରିବା ପରେ ଆଗ୍ରା ଯିବେ ଟ୍ରମ୍ପ ଦମ୍ପତି । ଏବଂ ସୂର୍ଯ୍ୟାସ୍ତ ସମୟରେ ତାଜମହଲ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ୨୪ତାରିଖ ଦିନ ୧୨ଟା ପରେ ତାଜମହଲ ସାଧାରଣ ଦର୍ଶକଙ୍କ ପାଇଁ ବନ୍ଦ ରଖିବା ପାଇଁ ନଷ୍ପତି ନିଆଯାଇଛି । ଟ୍ରମ୍ପଙ୍କ ଗସ୍ତକୁ ନଜରରେ ରଖି ୧୦କମ୍ପାନୀ ପାରା ମିଲିଟାରୀ ଫୋର୍ସ ଓ ୪ରୁ ୫ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ ।

୨୪ ତାରିଖରେ ଟ୍ରମ୍ପ ଦମ୍ପତି ଅହମଦାବାଦ ଓ ଆଗ୍ରାରେ ସମୟ ବିତାଇବା ପରେ ୨୫ ତାରିଖରେ ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆଉ ଏହି ସମୟରେ ଦିଲ୍ଲୀ ନାନକପୁରାରେ ଥିବା ଏକ ସରକାରୀ ସ୍କୁଲ ପରିଦର୍ଶନରେ ଯିବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପତ୍ନୀ ମେଲାନିଆ । ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଆରମ୍ଭ କରିଥିବା ଏହି ହାପିନେସ କରିକୁଲମ ବା ଖୁସି କରିବାର ପାଠ୍ୟକ୍ରମ ବାବଦରେ ପଚାରି ବୁଝିବେ ବୋଲି ଜଣା ପଡିଛି । ତେବେ ଏହି କାର୍ଯ୍ୟକ୍ରମରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦିଆଯାଇଥିବା ନେଇ ରାଜନୀତି ଜୋର ଧରିଛି । ଆମେରିକା ରାଷ୍ଟ୍ରପତି ବନିବା ପରେ ପ୍ରଥମ ଥର ପାଇଁ ଗାରତ ଗସ୍ତରେ ଆସିବେ ଡୋନାଲ୍ଡ ଟ୍ରମ୍ପ । ଏହି ଗସ୍ତରେ ଟ୍ରମ୍ପଙ୍କ ପୁରା ପରିବାର ତାଙ୍କ ସାଥୀରେ ରହିବେ ।