ବାଜିରେ ରାଜ ପରିବାର ରାଜନୀତି । ପଞ୍ଚାୟତ ହେବ କି ଶେଷ ସୁଯୋଗ ?

234

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ବଲାଙ୍ଗୀରରେ ଗଡ ରକ୍ଷା ପାଇଁ ଉଦ୍ୟମ କରୁଛନ୍ତି ରାଜା ପରିବାର । ପତିଆରା ପ୍ରଦର୍ଶନ ପାଇଁ ଶେଷ ସୁଯୋଗ ହୋଇଛି ପଞ୍ଚାୟତ ଲଢ଼େଇ । ପଞ୍ଚାୟତ ନିର୍ବାଚନରେ ସଫଳ ହେଲେ ଆଗକୁ ରାସ୍ତା ସହଜ ହେବ ବୋଲି କୁହାଯାଉଛି, ନଚେତ ରାଜପରିବାର ସ୍ଥାନରେ ସାମ୍ନାକୁ ନୂଆ ଚେହେରା ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବାଜିରେ ରାଜ ପରିବାର ରାଜନୀତି । ପଞ୍ଚାୟତ ହେବ କି ଶେଷ ସୁଯୋଗ ? ୨୦୧୯ରେ ବଲାଙ୍ଗୀର ଲୋକସଭା ଆସନରୁ ହାରିଗଲେ କଳିକେଶ ସିଂଦେଓ । ବଲାଙ୍ଗୀର ବିଧାନସଭା ଆସନରୁ ପରାଜିତ ହେଲେ ଅର୍କେଶ ସିଂଦେଓ । ସେପଟେ ରାଜ୍ୟସଭା ଅବଧି ସରିବା ପରେ ଆଉ ରାଜ୍ୟ ରାଜନୀତିରେ ପ୍ରାୟ ସକ୍ରିୟ ନାହାନ୍ତି ଅନଙ୍ଗ ଉଦୟ ସିଂଦେଓ । ଏକଦା ବଲାଙ୍ଗୀର ରାଜ ଉଆସ ଶୈଳଶ୍ରୀ ପ୍ୟାଲେସରୁ ନିୟନ୍ତ୍ରଣ ହେଉଥିବା ଜିଲ୍ଲା ରାଜନୀତି ଏବେ ଧୀରେ ଧୀରେ ଦୁର୍ବଳ ହେଲାଣି ।

କୁହାଯାଉଛି ପଞ୍ଚାୟତ ରାଜନୀତି ଉଭୟ ସିଂଦେଓ ଭାଇଙ୍କ ପାଇଁ ଶେଷ ସୁଯୋଗ । ଯଦି ନରସିଂହଙ୍କୁ ଟକ୍କର ଦେବେ ଅର୍କେଶ ତେବେ ୨୦୨୪ ପାଇଁ ଟିକେଟ ଆଶା ରହିବ । ନଚେତ ଦଳ ସେଠାରେ ବିକଳ୍ପ ଖୋଜିବା ଆରମ୍ଭ କରିପାରେ । କଳିକେଶଙ୍କ ପାଇଁ ମଧ୍ୟ ଜିଲ୍ଲାରେ ସଫଳତା ବଢାଇବା ଦରକାର । ନଚେତ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ ।

ଅନଙ୍ଗ ଉଦୟଙ୍କ ବଡ ପୁଅ କଳିକେଶ ସିଂଦେଓ ଯଦିଓ ଲୋକସଭା ମୁହଁ ଦେଖି ସାରିଛନ୍ତି ହେଲେ ସାନପୁଅ ଅର୍କେଶ ବିଧାନସଭା ମାଟି ମାଡିପାରିନାହାନ୍ତି । ତେଣୁ ସାନପୁଅର ରାଜନୈତିକ କ୍ୟାରିୟରକୁ ଆଗକୁ ବଢାଇବାକୁ ବାପା ଏୟ ସିଂଦେଓ ଓହ୍ଲାଇଛନ୍ତି ମଇଦାନକୁ । ବିଧାୟକ ଥିବା ସମୟରେ ଯେଉଁ ସଂଗଠନ ସେ ତିଆରି କରିଥିଲେ, ତାକୁ ସକ୍ରିୟ କରି ଅର୍କେଶଙ୍କ ପାଇଁ ସଫଳତାର ରାସ୍ତା ତିଆରି କରୁଥିବା ଦେଖିବାକୁ ମିଳୁଛି ।

ବଲାଙ୍ଗୀର ରାଜନୀତିରେ ଆଉ ଦୁଇ ବଡ ଚେହେରା ମୁଣ୍ଡ ଟେକିବା ପରେ ରାଜ ପରିବାରର ଗୋଟି ଚାଳନା କମିଚାଲିଛି । ଟୁକୁନି ସାହୁ କ୍ୟାବିନେଟ ମନ୍ତ୍ରୀ ଭାବେ ଉଭୟ ରାଜ୍ୟ ଓ ଜିଲ୍ଲା ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । ସେହିଭଳି ଶ୍ରୀମୟୀ ମିଶ୍ର ମଧ୍ୟ ନିଜ ରାଜନୈତିକ କ୍ୟାରିୟର ବଲାଙ୍ଗୀରରେ ଆଗକୁ ବଢାଇବାକୁ ସୁଯୋଗ ଅପେକ୍ଷାରେ ଅଛନ୍ତି ।

ଉଭୟ କଳିକେଶ ଏବଂ ଅର୍କେଶଙ୍କ ସାମ୍ନାରେ ଆହ୍ୱାନ ହୋଇଛନ୍ତି ନରସିଂହ ଏବଂ କେଭି ଓ ସଂଗୀତା ସିଂଦେଓ । ଉଭୟ ବିଜେପି ଓ କଂଗ୍ରେସର ପଲ୍ଲା ଏଠାରେ ଭାରି ରହିଛି । ତେଣୁ ପଞ୍ଚାୟତ ନିର୍ବାଚନ ଯେ ସମ୍ପୂର୍ଣ୍ଣ ଏକତରଫା ହେବ ଜିଲ୍ଲାରେ ଏହା ଆକଳନ କରିବା ଭୁଲ ହୋଇପାରେ । ୨୦୧୭ରେ ଏଠାରେ ବିଜେପି ଜିଲ୍ଲା ପରିଷଦ ଦଖଲ କରିଥିଲା । ପରିବର୍ତ୍ତିତ ସ୍ଥିତିରେ ବିଜେଡି ଏଠାରେ କିଭଳି ପ୍ରଦର୍ଶନ କରିବ ତାହା ନିର୍ଭର କରୁଛି ସିଂଦେଓ ପରିବାର ଉପରେ । ପରୀକ୍ଷାରେ ପାଶ୍ ହେଲେ ଆଗକୁ ରାସ୍ତା ସହଜ ହେବ ଆଉ ଫେଲ ହେଲେ, ନୂଆ ଚେହେରା ସାମ୍ନାକୁ ଆସିପାରେ ।