ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସଂସ୍କରଣ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି ସ୍ମୃତି ମନ୍ଧାନାଙ୍କ ଟିମ୍ ।

164

କନକ ବ୍ୟୁରୋ: ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସଂସ୍କରଣ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି ସ୍ମୃତି ମନ୍ଧାନାଙ୍କ ଟିମ୍ । ଏହି ବିଜୟ ପ୍ରଥମଥର ଡବ୍ଲୁପିଏଲ୍ ହାତେଇଛି ଆରସିବି । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ପୁଣିଥରେ ଟାଇଟଲରୁ ବଂଚିତ ହୋଇଛି । ପ୍ରଥମ ସଂସ୍କରଣରେ ମଧ୍ୟ ଦଳ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାସ୍ତ ହୋଇଥିଲା ।

ରବିବାର ଲୋ’ ସ୍କୋରିଂ ଫାଇନାଲ ମ୍ୟାଚରେ ଦିଲ୍ଲୀ ୧୮.୩ ଓଭରରେ ୧୧୩ ରନ୍ କରି ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଶେଫାଳୀ ବର୍ମା ୪୪ ରନ୍ ଓ ଅଧିନାୟକ ମେଗ୍ ଲାନିଂ ୨୩ ରନ କରିଲେ । ଆରସିବି ପକ୍ଷରୁ ଶ୍ରେୟଙ୍କା ପାଟିଲ ୪ଟି ଓ ସୋଲି ମୋଲିନକ୍ସ ୩ଟି ୱିକେଟ୍ ନେଇଥିଲେ । ଜବାବରେ ଆରସିବି ୧୯.୩ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । ଅଧିନାୟକ ମନ୍ଧାନା ୩୧ ରନ୍ ଓ ସୋଫି ଡିଭାଇନ୍ ୩୨ କରି ଆଉଟ୍ ହୋଇଥିଲେ । ଏଲିସ ପେରୀ ୩୫ ଓ ରିଚା ଘୋଷ ୧୭ ରନ୍ କରି ଅପରାଜିତ ଥିଲେ ।