ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ କୋଲକାତା ।

68

କନକ ବ୍ୟୁରୋ : ଆବୁଧାବିରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବ କଡା ଟକ୍କର । ତେବେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ବାଙ୍ଗାଲୋର ।

ଆଇପିଏଲ୍‌-୨୦୨୧ର ପ୍ରଥମ ଚରଣରେ କୋଲ୍‌କାତା ନାଇଟ୍ ରାଇଡର୍ସ ଆଶାଜନକ ପ୍ରଦର୍ଶନ କରି ପାରିନଥିଲା । ସେଥିପାଇଁ ଦ୍ବିତୀୟ ଚରଣରେ ଏହି ଦୁଃଖକୁ ଦୂର କରିବା ଲକ୍ଷ୍ୟରେ ରହିଛି ଦୁଇଥର ପୂର୍ବତନ ବିଜେତା ଦଳ । ଦ୍ବିତୀୟ ଚରଣର ପ୍ରଥମ ମୁକାବିଲାରେ କିନ୍ତୁ ଆଜି ଶକ୍ତିଶାଳୀ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ କେକେଆର୍‌ । ଆବୁଧାବିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଜିତିବା ଇଅନ ମୋର୍ଗାନଙ୍କ ନେତୃତ୍ବାଧୀନ କେକେଆର୍‌ ପାଇଁ ଆଦୌ ସହଜ ହେବନି । କାରଣ ବିରାଟ କୋହଲିଙ୍କ ଆର୍‌ସିବି ଏବେ ଚମତ୍କାର ଫର୍ମରେ ରହିଛି ।

ପ୍ରଥମ ଚରଣରେ ଖେଳିଥିବା ୭ ମ୍ୟାଚ୍‌ରୁ ୧୦ ପଏଣ୍ଟ ଅର୍ଜନ କରି ତାଲିକାର ତୃତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ପ୍ରଥମ ଚରଣର ସେହି ୭ ମୁକାବିଲାରୁ କେକେଆର୍ ମାତ୍ର ଦୁଇଟି ବିଜୟ ହାସଲ କରି ସପ୍ତମ ସ୍ଥାନରେ ଅଛି । ଏଣୁ ୨୦୧୪ ସଂସ୍କରଣ ଭଳି କେକେଆର୍‌ ଏଥର ବି ଧମାକାଦାର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି । ୨୦୧୪ ମସିହାରେ ପ୍ରଥମ କିଛି ମ୍ୟାଚ୍‌ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବା ପରେ ଲଗାତାର ୯ ବିଜୟ ହାସଲ କରି କେକେଆର୍‌ ଶେଷରେ ବିଜେତା ଆଖ୍ୟା ଅର୍ଜନ କରିଥିଲା ।

ଆର୍‌ସିବି ବିପକ୍ଷରେ ବିଜୟ ହାସଲ କରିବାକୁ ହେଲେ କେକେଆର୍‌ର ଦୁଇ ଯୁବ ଓପ୍‌ନର ଶୁବମନ ଗିଲ୍ ଓ ନୀତୀଶ ରାଣାଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ଦୁର୍ଭାଗ୍ୟଜନକ ଭାବେ ଉଭୟ ପ୍ରଥମ ଚରଣରେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିନଥିଲେ । ପ୍ରଥମ ୭ ମ୍ୟାଚ୍‌ରୁ ଗିଲ୍ ମାତ୍ର ୧୩୨ ରନ୍ କରିଥିଲା ବେଳେ ରାଣା ୨୦୧ ରନ୍ କରିଥିଲେ । ସେଥିପାଇଁ ପ୍ଲେ ଅଫ୍ ଖେଳିବା ଆଶାକୁ ଉଜ୍ଜୀବିତ ରଖିବାକୁ ହେଲେ ଅଧିନାୟକ ମୋର୍ଗାନଙ୍କ ସହ ପୂର୍ବତନ ଅଧିନାୟକ ଦୀନେଶ କାର୍ତ୍ତିକ, ବିସ୍ଫୋରକ ଆନ୍ଦ୍ରେ ରସେଲ, ରାହୁଲ ତ୍ରିପାଠୀ ଓ ଅଲରାଉଣ୍ଡର ସକିବ-ଅଲ୍-ହାସନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ବୋଲିଂ ବିଭାଗରେ ପ୍ୟାଟ୍ କମିନ୍ସଙ୍କ ସ୍ଥାନ ନେଇଥିବା ଟିମ୍ ସାଉଦିଙ୍କ ଉପରେ ଦଳର ଢେର ଆଶା ରହିବ ।