ଆଇପିଏଲ ଟକ୍କର : ଆଜି ମୁହାଁମୁହିଁ ହେବେ ଆର୍‌ସିବି ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ

98

କନକ ବ୍ୟୁରୋ : ନିଜ ନିଜ ଆଇପିଏଲ୍ ଅଭିଯାନର ତ୍ରୟୋଦଶ ଲିଗ୍ ମ୍ୟାଚ୍‌ରେ ଆଜି ଆତ୍ମବିଶ୍ବାସଭରା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଏଣ୍ଟ୍‌ ତାଲିକାର ସବାଶେଷ ସ୍ଥାନରେ ଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିସାରିଥିବା ସନ୍‌ରାଇଜର୍ସ ଅନ୍ତିମ ଦୁଇ ମୁକାବିଲାକୁ ଜିତି ସମ୍ମାନର ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିବ । ଅନ୍ୟପକ୍ଷରେ ଆସନ୍ତାକାଲି ମ୍ୟାଚ୍‌ରେ ବିଜୟୀ ହୋଇପାରିଲେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଆର୍‌ସିବି ଶୀର୍ଷ ୨ ସ୍ଥାନରେ ଲିଗ୍ ପର୍ଯ୍ୟାୟ ଶେଷ କରିବା ଲାଗି ଦାବିଦାରି ଉପସ୍ଥାପନ କରିପାରିବ ।

ଆର୍‌ସିବି ସଂପ୍ରତି ୧୨ ମ୍ୟାଚ୍ ଖେଳି ୧୬ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ରହିଛି । ଶେଷ ଦୁଇ ମ୍ୟାଚ୍‌ ଜିତି ପାରିଲେ ଏହି ଦଳ ଶୀର୍ଷ ୨ ସ୍ଥାନରେ ରହି କ୍ବାଲିଫାୟର ୧ ଓ କ୍ବାଲିଫାୟର-୨ ଖେଳିବାର ସୁଯୋଗ ପାଇବ। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ତା’ର ଅନ୍ତିମ ଦୁଇ ମୁକାବିଲାରେ ବିଜୟୀ ହେଲେ ନିଜ ବିଜୟ ଖାତାକୁ କିଛିଟା ସମୃଦ୍ଧ କରିପାରିବ । କୋହଲି, ଏବି ଡି’ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ଭଳି ଖେଳାଳି ଥିବା ଆରସିବି କିନ୍ତୁ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇବ । ଆତ୍ମବିଶ୍ବାସରେ ଭରପୁର ଏହି ଦଳକୁ ହରାଇବାକୁ ହେଲେ ସଂଘର୍ଷରତ ସନ୍‌ରାଇଜର୍ସକୁ ନିଜ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବି ଭଲ କରିବାକୁ ହେବ ।

ପୂର୍ବତନ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଚଳିତ ଆଇପିଏଲ୍‌ର ୟୁଏଇ ପର୍ଯ୍ୟାୟରେ ସନ୍‌ରାଇଜର୍ସ ଆଦୌ ଭଲ ପ୍ରଦର୍ଶନ କରିନି। ତଥାପି କେନ୍ ୱିଲିୟମସନଙ୍କ ଦଳ ପାଖରେ ଏକାଧିକ ପ୍ରତିଭାବାନ ଖେଳାଳି ଅଛନ୍ତି। ସନ୍‌ରାଇଜର୍ସ ପୂର୍ବରୁ ପ୍ଲେ ଅଫ୍‌ରୁ ବାଦ ପଡ଼ି ସାରିଥିବାରୁ ଚୂଡ଼ାନ୍ତ ଏକାଦଶରେ ପରୀକ୍ଷା‌ ନିରୀକ୍ଷା କରିବାର ସୁଯୋଗ ବି ଏହି ଦଳ ପାଖରେ ରହିବ। ଆଇପିଏଲ୍‌ ପଦାର୍ପଣରେ ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ବେଗରେ ବଲ୍ ପକାଇ ଚର୍ଚ୍ଚାର ପରିସରକୁ ଆସିଥିବା ଉର୍ମାନ ମଲ୍ଲିକ ଆଉ ଏକ ସୁଯୋଗ ପାଇପାରନ୍ତି। ସନ୍ଦୀପ ଶର୍ମା ବି ଦଳକୁ ପେରିପାରନ୍ତି । ଅନ୍ୟପକ୍ଷରେ ଆର୍‌ସିବି ତାର ଚୂଡ଼ାନ୍ତ ଏକାଦଶରେ ଅଦଳ ବଦଳ କରିବା ସମ୍ଭାବନା ପ୍ରାୟ ନାହିଁ । ତେବେ ଆରସିବି ୟୁଏଇ ଚରଣରେ ଏପର୍ଯ୍ୟନ୍ତ ପାୱାର ପ୍ଲେରେ ଗୋଟିଏ ହେଲେ ବି ୱି‌କେଟ୍ ପାଇନାହିଁ ।

ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସିରାଜ ମନୋବଳ ଫେରି ପାଇବାକୁ ସଂଘର୍ଷ କରୁଥିବା ସନ୍‌ରାଇଜର୍ସ ବିପକ୍ଷରେ ଏହି ଧାରା ବଦଳାଇବାକୁ ଚେଷ୍ଟା କରିବେ। ପୂର୍ବରୁ ଆର୍‌ସିବି ଓ ସନ୍‌ରାଇଜର୍ସ ୧୯ ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରେ କିନ୍ତୁ ସନ୍‌ରାଇଜର୍ସର ପ୍ରଦର୍ଶନ ତୁଳନାତ୍ମକ ଭାବେ ଭଲ ରହିଛି। ଆର୍‌ସିବି ବିପକ୍ଷରେ ସନ୍‌ରାଇଜର୍ସ ୧୦ ବିଜୟ ପାଇଛି । ଅନ୍ୟପକ୍ଷରେ ଆରସିବି ୮ ମ୍ୟାଚ୍‌ରେ ସନ୍‌ରାଇଜର୍ସକୁ ହରାଇଛି। ଗୋଟିଏ ମ୍ୟାଚ୍‌ର ଫଳାଫଳ ମିଳିନି । ଚେନ୍ନାଇରେ ଖେଳିଥିବା ଶେଷ ମୁକାବିଲାରେ ଅବଶ୍ୟ ଆର୍‌ସିବି ୬ ରନ୍‌ରେ ସନ୍‌ରାଇଜର୍ସକୁ ହରାଇଥିଲା । ବୁଧବାର ବିଜୟୀ ହେଲେ ଆଇପିଏଲ୍‌ରେ ଆରସିବି ଶତକୀୟ ବିଜୟ ହାସଲ କରିବ ।

ସମ୍ଭାବ୍ୟ ଆର୍‌ସିବି: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ, ଶ୍ରୀକର ଭରତ, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ, ଡାନିଏଲ୍ କ୍ରିଷ୍ଟିଆନ୍, ଶାହାବାଜ ନଦୀମ, ଜର୍ଜ ଗର୍ଟନ, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ

ସମ୍ଭାବ୍ୟ ସନ୍‌ରାଇଜର୍ସ ହାଇଦ୍ରାବାଦ: ଜାସନ ରୟ, ଋଦ୍ଧିମାନ ସାହ, କେନ୍ ୱିଲିୟମସନ୍ (ଅଧିନାୟକ), ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଅବଦୁଲ ସାମଦ, ଜାସନ ହୋଲ୍ଡର, ରସିଦ ଖାନ୍, ଭୁବନେଶ୍ବର କୁମାର, ସନ୍ଦୀପ ଶର୍ମା/ସିଦ୍ଧାର୍ଥ କୌଲ, ଉର୍ମାନ ମଲ୍ଲିକ