କନକ ବ୍ୟୁରୋ : ସଫଳତାର ସହ ଚନ୍ଦ୍ରଯାନ ସିନା ଚନ୍ଦ୍ରପୃଷ୍ଠରେ ଅବତରଣ କରିଗଲା, ହେଲେ ଲ୍ୟାଣ୍ଡର ବିକ୍ରମରୁ କେମିତି ରୋଭର ପ୍ରଜ୍ଞାନ ବାହାରିଥିଲା ତାହାର ଚିତ୍ର ଏବେ ପ୍ରଜ୍ଞାନ ରୋଭର ପଠାଇଛି । ୪ ଘଂଟାରୁ ଅଧିକ ସମୟ ଧରି ଅପେକ୍ଷା କରିବା ପରେ ଲ୍ୟାଣ୍ଡରରୁ ରୋଭର ବାହାରିଥିଲା । ଅବତରଣ କରିବା ପରେ ଚନ୍ଦପୃଷ୍ଠର ଧୁଳିକଣା, ପାଣିପାଗ ସ୍ଥିତି ଏବଂ ପାରିପାଶ୍ୱିକ ସ୍ଥିତିର ଅନୁଧ୍ୟାନ କରିବା ପରେ ରୋଭର ବାହାର କରିବାକୁ ନିଷ୍ପତି ହୋଇଥିଲା । ଆଉ ସବୁ କିଛି ଠିକ୍ ଠାକ୍ ଥିବା ନେଇ ବୈଜ୍ଞାନିକମାନେ ଆଶ୍ୱସ୍ତ ହେବା ପରେ ଖୋଲିଥିଲା, ଲ୍ୟାଣ୍ଡର୍ରେ ଖଂଜା ହୋଇଥିଲା ର୍ୟାମ୍ପ । ଆଉ ଏହି ର୍ୟାମ୍ପରେ ଧୀରେ ଧୀରେ ତଳକୁ ଓହ୍ଲାଇ ଥିଲା ରୋଭର ପ୍ରଜ୍ଞାନ ।

Advertisment

ଚନ୍ଦ୍ରପୃଷ୍ଠର ସ୍ଥିତି ଅନୁଧ୍ୟାନ କରିବା ପରେ ରୋଭରକୁ ବାହାର କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ଲ୍ୟାଣ୍ଡରରେ ଖଂଜା ଯାଇଥିବା ର୍ୟାମ୍ପ ଖୋଲିଥିଲା । ରାମ୍ପ ଖୋଲିବା ପରେ ଏଥିରେ ଲାଗିଥିବା ସୋଲାର୍ ପ୍ୟାନେଲ୍ ସକ୍ରିୟ ହୋଇଥିଲା । ଆଉ ଏହା ପରେ ଚନ୍ଦ୍ର ପୃଷ୍ଠକୁ ଓହ୍ଲାଇଥିଲା ରୋଭର । ତେବେ ଗୋଟିଏ ଚନ୍ଦ୍ରଦିନ କେମିତି କାମ କରିବ ସେନେଇ ବିସ୍ତୁତ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ । ଏସ୍. ସୋମନାଥ ଦେଇଥିବା ସୂଚନା ଅନୁସାରେ- ରୋଭର୍’ର ଗତିପଥ ନିୟନ୍ତ୍ରିତ ପରିଧି ମଧ୍ୟରେ ସୀମିତ ରହିବ । ଅନୁଧ୍ୟାନ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ଭିତରେ ହିଁ ରୋଭର୍ ବୁଲିବ । ଆଉ ତଥ୍ୟ ସଂଗ୍ରହ କରିବ ।

ଏସବୁ ଭିତରେ ଗୋଟିଏ ଚନ୍ଦ୍ରଦିନ ବା ପୃଥ୍ୱିବୀ ପୃଷ୍ଠର ୧୪ ଦିନ ଚନ୍ଦ୍ରପୃଷ୍ଠରେ ଘୁରି ବୁଲିବ ରୋଭର ପ୍ରଜ୍ଞାନ । ଏହି ସମୟ ଭିତରେ ରୋଭର ବିଭିନ୍ନ ଅନୁସନ୍ଧାନ କରି ଇସ୍ରୋକୁ ସୂଚନା ପଠାଇବ । ଚନ୍ଦ୍ରପୃଷ୍ଠର ମାଟି, ପଥର, ଜଳ ଓ ଜୀବନର ସମ୍ଭାବନା, ରାସାୟନିକ ଉପଦାନ ଉପରେ ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡର ଜରିଆରେ ଇସ୍ରୋକୁ ପଠାଇବ ।