କିଛି ଏହିଭଳି ଢଙ୍ଗରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବିକ୍ରମ ଓ ପ୍ରଜ୍ଞାନ । ଓହ୍ଲାଇବା ମାତ୍ରେ ପରସ୍ପରର ଫଟୋ ଉଠାଇବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ।

321

ଆଉ ମାତ୍ର କିଛି ସମୟର ଅପେକ୍ଷା । ଚନ୍ଦ୍ରରେ ପାଦ ଥାପିବ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତକୁ ଅପେକ୍ଷା କରି ବସିଛି ପୂରା ବିଶ୍ୱ । ରାତି ୧.୩୦ରୁ ରାତି ୨.୩୦ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨ । ରାତି ୧.୩୮ ମିନିଟରେ ଚନ୍ଦ୍ରର ୩୫ କିଲୋମିଟର ଉପରୁ ଚନ୍ଦ୍ରପୃଷ୍ଠ ଆଡକୁ ଗତି କରିବ ଚନ୍ଦ୍ରଯାନ-୨ । ଆଉ ଏହାର ଠିକ୍ ୧୦ ମିନିଟ ପରେ ପ୍ରାୟ ଚନ୍ଦ୍ରପୃଷ୍ଠର ୭.୪ କିଲୋମିଟର ଦୂରରେ ଥିବା ବେଳେ ଏଥିରେ ବ୍ରେକ ଲଗାଯିବ । ଠିକ୍ ୧.୫୦ ମିନିଟ୍ ସମୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଅତି ପାଖରେ ପହଞ୍ଚିବ । ୧.୫୨ ମିନିଟ୍ ସମୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଅତି ନିକଟରୁ ଫଟୋ ଇସ୍ରୋକୁ ପଠାଇବ ।

ଫଟୋ ପଠାଇବାର ଏକ ମିନିଟ୍ ପରେ ଅଥାର୍ତ ୧.୫୩ ମିନିଟରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଲ୍ୟାଣ୍ଡର ବିକ୍ରମ । ଏହାର ପ୍ରାୟ ଦୁଇ ଘଣ୍ଟା ପରେ ପାଖାପାଖି ୩.୫୩ ମିନିଟ୍ ସମୟରେ ରୋଭର ପ୍ରଜ୍ଞାନର ବାହାରିବା ପାଇଁ ଲ୍ୟାଣ୍ଡର ବିକ୍ରମର ଦ୍ୱାର ଖୋଲିବ । ଦ୍ୱାର ଖୋଲିବାର ଅଧଘଣ୍ଟା ପରେ ୪ଟା ୨୩ ମିନିଟରେ ରୋଭର ପ୍ରଜ୍ଞାନ ଅନ୍ ହେବ ।

ଭୋର ୫ଟା ୦୩ ମିନିଟ ସମୟରେ ରୋଭର ପ୍ରଜ୍ଞାନର ସୋଲାର ପ୍ୟାନେଲ ଆକ୍ଟିଭ ହେବ । ଏହାର ୧୬ ମିନିଟ୍ ପରେ ଅଥାର୍ତ ୫ଟା ୧୯ ମିନିଟରେ ଲ୍ୟାଣ୍ଡର ବିକ୍ରମରୁ ରାମ୍ପ ସାହାଯ୍ୟରେ ବାହାରକୁ ଆସିବ । ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ରୋଭର ପ୍ରଜ୍ଞାନ ପ୍ରାୟ ୧୦ ମିନିଟ୍ ସମୟ ନେବ । ଏହାପରେ ୫ଟା ୪୫ ମିନିଟରେ ରୋଭର ପ୍ରଜ୍ଞାନ ନିଜର ଯାନ ଅଥାର୍ତ ଲ୍ୟାଣ୍ଡର ବିକ୍ରମ ସହ ସେଲଫି ନେଇ ଇସ୍ରୋକୁ ପଠାଇବ ।

୬ ଗୋଡ ବିଶିଷ୍ଟ ରୋଭର ପ୍ରଜ୍ଞାନ ସୁନେଲୀ ରଙ୍ଗର ହୋଇଥିବା ବେଳେ ଏହାର ଉପର ପାଶ୍ୱର୍ରେ ସୋଲାର ପ୍ୟାନେଲ ରହିଛି । ଯେଉଁଠାରୁ ଶକ୍ତି ସଂଗ୍ରହ କରିବା ସହ ରୋଭର କାର୍ଯ୍ୟକ୍ଷମ କରିବ ।ଏହାର ଦୁଇ ପାଶ୍ୱର୍ରେ ଦୁଇଟି କ୍ୟାମେରା ମଧ୍ୟ ଲଗାଯାଇଛି । ଏହି ୨ଟି ନାଭିଗେସନ କ୍ୟାମେରା ରୋଭରଙ୍କୁ ରାସ୍ତା ଦେଖାଇବ ।