କନକ ବ୍ୟୁରୋ: ଦୁର୍ନୀତିର ପ୍ରୟୋଗ ଶାଲା ପାଲଟିଛି ଆରଜିଏଚ । ମିଳିମିଶି ଲୁଟ କରିଛନ୍ତି କୋଟିକୋଟି ଟଙ୍କା । ରାଉରକେଲା ସରକାରୀ ଡାକ୍ତରଖାନାରେ ହୋଇଥିବା ଦୁର୍ନୀତି ଅଭିଯୋଗର ଖୋଳତାଡ଼ ଆରମ୍ଭ ହୋଇଛି । ବିଭିନ୍ନ ଟେଣ୍ଡର, ସିକ୍ୟୁରିଟି ଗାର୍ଡ ନିଯୁକ୍ତି, ମର୍ଗ ହାଉସର ଡୀପ୍ ଫ୍ରୀଜର ଗାୟବ ଭଳି ମାଳମାଳ ଦୁର୍ନୀତିର ଛାନଭିନ କରୁଛି ଜାତୀୟ ସ୍ୱାସ୍ଥ୍ୟ ମିଶନର ଟିମ । ସେପଟେ ଏହି ଘଟଣାକୁ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି ।

Advertisment

ଜାତୀୟ ସ୍ୱାସ୍ଥ୍ୟ ମିଶନ ଟିମର ସ୍କାନରରେ ରାଉରକେଲା ସରକାରୀ ଡାକ୍ତରଖାନା। ଆରଜିଏଚରେ ପ୍ରାୟ ୧୦ କୋଟିର ଘୋଟଲାକୁ ନେଇ ଆକ୍ସନ ମୋଡ଼ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ବିଭାଗ। ଦୁଇ ଦିନ ଧରି ମେଡିକାଲର କାଗଜ ପତ୍ର, ବିଲ, ଭାଉଚର ଯାଞ୍ଚ କରି ଫେରିଯାଇଛି ଟିମ। ବିଭିନ୍ନ ଲୋକଙ୍କୁ ଡାକି ପଚରାଉଚୁରା ମଧ୍ୟ କରାଯାଇଛି। ବେଡ଼ ସିଟ ସଫେଇ, ସିକ୍ୟୁରିଟି ଗାର୍ଡ ନିଯୁକ୍ତି, ନକଲି ଡାକ୍ତର, ମର୍ଗ ହାଉସରୁ ଡିପ୍ ଫ୍ରୀଜର ଗାୟବ ଓ ବିଭିନ୍ନ ଟେଣ୍ଡରକୁ ନେଇ ହୋଇଥିବା ଅଭିଯୋଗର ପ୍ରମାଣ ଯୋଗାଡ କରିଛି ଜାତୀୟ ସ୍ୱାସ୍ଥ୍ୟ ମିଶନ।

ମିଳିଥିବା ସୂଚନା ଆଧାରରେ ଗତ ୩ ବର୍ଷରେ ଆରଜିଏଚରେ ୧୦ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ବେଡ଼ ସିଟ୍ ସଫା କରିବା ପାଇଁ ଟେଣ୍ଡର ନେଇଥିବା ମେସର୍ସ ମେଡ଼ିଆଡ଼ ଅନସିଲାରୀ ସର୍ଭିସେସ କମ୍ପାନୀ ହସ୍ପିଟାଲର ମ୍ୟାନେଜରଙ୍କ ସହ ମିଶି ପ୍ରାୟ ୧ କୋଟି ୮୦ ଲକ୍ଷ ଚଳୁ କରିଥିବା ଅଭିଯୋଗ ହୋଇଛି। ସେହିପରି ସିକ୍ୟୁରିଟି ଗାର୍ଡ ନିଯୁକ୍ତିରେ ମଧ୍ୟ ବ୍ୟାପକ ଦୁର୍ନୀତି ଅଭିଯୋଗ ରହିଛି ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବସ୍ତାବଙ୍କ ବିରୋଧରେ । ମର୍ଗ ହାଉସର ଡିପ୍ ଫ୍ରିଜର ମଧ୍ୟ ଗାୟବ ହୋଇଯାଇଛି। ଏନେଇ ଗତ ଜୁନ ୨୨ ତାରିଖରେ ଥାନାରେ ଏତଲା ଦେଇଥିଲେ ମେଡିକାଲର ସୁପରିଟେଣ୍ଡେଣ୍ଟ । ସେପଟେ ଏହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଯାଇଛି ବୟାନବାଜି । ଘଟଣାର ଉଚ୍ଚ ସ୍ଥରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।