ଆଇଜିଏଚ ହେଲା ସୁପର ସ୍ପେଶିଆଲିଷ୍ଟ ହସପିଟାଲ । ହେଲେ କୁଆଡ଼େ ଗଲା ମେଡିକାଲ୍ କଲେଜ୍?

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଲେ, ଖୁବଶୀଘ୍ର ଖୋଲାଯିବ ପିିଜି ସ୍ତରୀୟ ମେଡିକାଲ କଲେଜ୍

141

କନକ ବ୍ୟୁରୋ: ବର୍ଷ ବର୍ଷର ପ୍ରତୀକ୍ଷା ପରେ ରାଉରକେଲା ଜେନେରାଲ ହସ୍ପିଟାଲ, ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ବା ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ଥିବା ଡାକ୍ତରଖାନାର ପରିଚୟ ପାଇଛି । ହେଲେ ଏହି ପ୍ରତୀକ୍ଷା ଭିତରେ ପ୍ରତୀକ୍ଷା ହୋଇ ରହିଯାଇଛି, ମେଡିକାଲ କଲେଜ । କୁଆଡ଼େ ଗଲା ମେଡିକାଲ କଲେଜ? କାହିଁକି ପାଳନ ହେଲାନି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି? ଏମିତି କିଛି ପ୍ରଶ୍ନ କରୁଥିବା ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ଦଳକୁ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସ୍ନାତକୋତର ସ୍ତରର ମେଡ଼ିକାଲ କଲେଜ୍ ଖୋଲିବାକୁ ପୁଣି ଥରେ ପ୍ରତିଶ୍ରୁତି ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଉ କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ମେଡ଼ିକାଲ କଲେଜ୍ ଖୋଲିବାକୁ ପ୍ରୟାସ ଜାରି ରଖିବେ । ଏହାରି ଭିତରେ ପୁଣି ଥରେ ସେହି ପ୍ରତିଶ୍ରୁତିକୁ ନେଇ ରାଜନୈତିକ ବୟାନବାଜି ଜୋର୍ କରିଛିି, ଯେଉଁ ପ୍ରତିଶ୍ରୁତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଥିଲେ ।
ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେବା ପରେ ତାକୁ ପୁଣି ଦୋହରାଇଥିଲେ ।

ଏହାରି ଭିତରେ ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା ମେଡ଼ିକାଲ କଲେଜ ସେହି ପ୍ରତିଶ୍ରୁତିରେ ହିଁ ରହିଛି । ଆଉ ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି, ମେଡ଼ିକାଲ କଲେଜ୍ ପ୍ରସଙ୍ଗ ଉଠାଇଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏଥିରେ ସେ ଲେଖିଥିଲେ, ଘୋଷଣାର ୬ ବର୍ଷ ପରେ ବି ଆଇଜିଏଚ୍କୁ ଏକ ମେଡ଼ିକାଲ କଲେଜରେ ପରିଣତ କରାଯାଇପାରିଲା ନାହିଁ । ଆମେ ସମସ୍ତେ ବିଚଳିତ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ଆରଏସପି କର୍ତୃପକ୍ଷ ଅବହେଳା କରିଛନ୍ତି ।

ଏପଟେ ଏହାପରେ ସୁନ୍ଦରଗଡ଼ର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ମେଡ଼ିକାଲ କଲେଜ ପ୍ରସଙ୍ଗରେ ଚିଠି ଲେଖିଥିଲେ । ଏଥିରେ କୁହାଯାଇଥିଲା- ରାଜ୍ୟ ସରକାର ଚାହିଁଲେ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲକୁ ମେଡ଼ିକାଲ କଲେଜ୍ରେ ପରିଣତ କରାଯାଇପାରିବ । ଆଉ ଏସବୁ ଭିତରେ, ମେଡ଼ିକାଲ କାହିଁର ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।