ପଦାରେ ପଡିଲା ରେଳବାଇ କର୍ତ୍ତୃପକ୍ଷଙ୍କ ଦୋମୁହାଁ ନୀତି । ଓଡିଆରେ ଛପାଯାଇଥିବା ଫର୍ମକୁ ଓଡିଆରେ ପୂରଣ କଲେ ଟିକେଟ ଦେଉନାହାଁନ୍ତି କର୍ମଚାରୀ

ରାଉଲକେଲାରେ ଅସନ୍ତୋଷ ପ୍ରକାଶ କଲେ ଓଡିଆ ଭାଷା ପ୍ରେମୀ

283

କନକ ବ୍ୟୁରୋ: ପଦାରେ ପଡିଲା ରେଳବାଇ କର୍ତ୍ତୃପକ୍ଷଙ୍କ ଦୋମୁହାଁ ନୀତି । ଗୋଟିଏ ପଟେ ଇଂରାଜୀ ଓ ଓଡିଆରେ ଆରକ୍ଷଣ ଫର୍ମ ଛାପିଛି ବିଭାଗ । ଅନ୍ୟପଟେ ସେହି ଫର୍ମକୁ ଓଡିଆରେ ପୂରଣ କଲେ ଆବେଦନକାରୀଙ୍କୁ ଟିକେଟ୍ ଦେବାକୁ ମନା କରି ଦେଉଛନ୍ତି ଏବଂ ଇଂରାଜୀରେ ଲେଖିବାକୁ ବାଧ୍ୟ କରୁଛନ୍ତି ଟିକେଟ୍ କାଉଁଣ୍ଟରରେ ଅବସ୍ଥାପିତ କର୍ମଚାରୀ । ଏଭଳି ବଚିତ୍ର ସ୍ଥିତି ସାମ୍ନାକୁ ଆସିଛି ରାଉରକେଲାରେ । ସେକ୍ଟର-୧୯ ସ୍ଥିତ ବୁକିଙ୍ଗ୍ କାଉଁଣ୍ଟରରେ ଓଡିଆ ଲେଖା ଆରକ୍ଷଣ ଫର୍ମ ଦେଖିଲା ମାତ୍ରେ ଆବେଦନକାରୀଙ୍କୁ ରୋକଠୋକ୍ ଟିକେଟ୍ କାଟିବାକୁ ମନା କରିଦେଇଛନ୍ତି ।

ଯଦି କିଏ ପ୍ରତିବାଦ କଲା ତାକୁ ନାଲିଆଖି ଦେଖାଇବା ସହ ଅଜବ ଯୁକ୍ତି ରଖି କହିଛନ୍ତି କର୍ତ୍ତୃପକ୍ଷଙ୍କୁ କୁହ ରାଉରକେଲାରେ ଓଡିଆଙ୍କୁ ବସାଇବେ । ରେଳବାଇ କର୍ମଚାରୀଙ୍କ ଏଭଳି ଆଭିମୁଖ୍ୟକୁ ଉପାନ୍ତ ଅଂଚଳରେ ଓଡିଆ ଭାଷା ସଂସ୍କୃତି ରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୁଇ ଦିନ ତଳେ ଓଡିଶାର ବିଭିନ୍ନ ରେଳ ଷ୍ଟେସନରେ ଅଣସଂରକ୍ଷିତ ଟିକେଟ ଓଡିଆ ଭାଷାରେ ଲେଖା ହୋଇ ମିଳିବା ଆରମ୍ଭ ହୋଇସାରିଛି ।